ଘର କଳିକୁ ନେଇ ଫେସବୁକ୍ରେ ଏମିତି ଲେଖିଲେ ଦୂତି, କହିଲେ…

ଭୁବନେଶ୍ବର: ରାଜ୍ୟ ତଥା ଦେଶ ପାଇଁ ବହୁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ତଥା ଅଲମ୍ପିଆନ୍ ଦୂତି ଚାନ୍ଦ। ହେଲେ କିଛି ଦିନ ହେବ ସେ ପୂର୍ବଭଳି ଖୁସି ନାହାନ୍ତି। କାରଣ ଦୂତିଙ୍କ ପରିବାରରେ ଦୀର୍ଘ ଦିନ ଧରି ସମସ୍ୟା ଲାଗି ରହିଛି। ଯାହା ଏପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ। ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ଘରକଳି ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଫେସବୁକ୍ରେ ନିଜ ଘର କଳି କଥା ସେୟାର କରିଛନ୍ତି ଦୂତି।
ଦୂତି ଫେସବୁକ୍ରେ ସମସ୍ତଙ୍କ ଜାଣିବା ଉଦ୍ଦେଶ୍ୟରେ କିଛି ସୂଚନା ଦେଇଛନ୍ତି। ସେଥିରେ ସେ ନିଜ ବାପା, ମାଆ ଓ ଭଉଣୀମାନଙ୍କ ଖର୍ଚ୍ଚ ପୂର୍ବରୁ ବହନ କରୁଥିଲେ ଏବଂ ଏବେ ମଧ୍ୟ ବହନ କରୁଛନ୍ତି ବୋଲି କହିଛନ୍ତି। ନିଜ ଘରର ପୂର୍ବ ଓ ବର୍ତ୍ତମାନର ଫଟୋ ସାଙ୍ଗକୁ ନିଜ ବାପାଙ୍କୁ ମାସକୁ ପଠାଉଥିବା ଅର୍ଥର ପ୍ରମାଣ ମଧ୍ୟ ଦେଇଛନ୍ତି ଦୂତି।
ଦୂତି ଲେଖିଛନ୍ତି, ପ୍ରାୟ କିଛି ଦିନ ହେବ ମୋ ପରିବାରର ଜଣେ ସଦସ୍ୟ ତା’ର ନିଜ ଫେସବୁକରେ ମୋ ବିରୋଧରେ ଅନେକ ଗୁଡ଼ିଏ ମିଛ ଅଭିଯୋଗ ଲେଖୁଛନ୍ତି। ଆଉ କହୁଛନ୍ତି କି ମୁଁ ଘର ପାଇଁ ଆଉ ବାପା, ମାଆଙ୍କ ପାଇଁ କିଛି ବି କରିନି। ଯାହା ଦ୍ୱାରା ଅନ୍ୟ ଲୋକମାନେ ଅକଥନୀୟ କଥା କମେଣ୍ଟ୍ ଦେଉଛନ୍ତି। ସେଥିପାଇଁ ଆଜି ଏ ସବୁ ପ୍ରମାଣ ସହିତ ପୋଷ୍ଟ୍ କରୁଛି। ମୋର ଆଗରୁ ବି ଘର ସହ ଭଲ ପାଇବା ଥିଲା ଆଉ ଏବେବି ଅଛି। ହେଲେ ମୋ ପରିବାର ଲୋକ ମୋତେ ଗ୍ରହଣ କରୁ ନାହାନ୍ତି। ଯାହା ମୋତେ ବହୁତ କଷ୍ଟ ଦେଉଛି। ଯାହାବି ହେଉନା କାହିଁକି ମୋର କର୍ତ୍ତବ୍ୟ କରି ଚାଲିଛି। ମୋ ବାପା,ମାଆଙ୍କ ପାଇଁ ନୂତନ ଘର କରିବା ସହିତ ଭଉଣୀମାନଙ୍କ ପଢ଼ା ଖର୍ଚ୍ଚ ବହନ କରିଚି, ଆଉ ତାହା ସହିତ ପ୍ରତି ମାସରେ ଘର ଖର୍ଚ୍ଚ ପାଇଁ ବାପା ଓ ଭଉଣୀଙ୍କୁ ପଇସା ପଠାଉଛି।’
Comments are closed.