ଦୁଷ୍କର୍ମ କଲେ ଓଏଏସ୍ ଅଧିକାରୀଙ୍କ ଶ୍ୱଶୁର, ଆଦିବାସୀ ନାବାଳିକା ଗର୍ଭବତୀ
ଭୁବନେଶ୍ୱର : ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରି ନନ୍ଦନୀୟ ଘଟଣାଟି ଜଣେ ଓଏଏସ୍ ଅଫିସରଙ୍କ ଘରେ ଘଟିଛି। ନାବାଳିକା ଜଣକ ତାଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ।
ଓଏଏସ୍ ଅଫିସରଙ୍କ ଶ୍ବଶୁର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ନାବାଳିକା ଗର୍ଭବତୀ ହେବା ପରେ ତାଙ୍କ ଗର୍ଭ ନଷ୍ଟ କରିବା ପାଇଁ ଲୋକ ପଠାଇ ଧମକଚମକ ଦେଉଥିଲେ ଓଏଏସ୍ ଅଫିସର।
ଏନେଇ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ପୀଡ଼ିତାଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି। ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳିକାଙ୍କର ଡାକ୍ତରୀମାଇନା କରାଯାଇଛି।
ପୁଲିସ ପୋକ୍ସୋ ଦଫାରେ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଯାଜପୁର ପୋକ୍ସୋ କୋର୍ଟରେ ମଧ୍ୟ ବିଚାରପତିଙ୍କ ପାଖରେ ସିଆରପିସି ଧାରା-୧୬୪ ଅନୁଯାୟୀ ବୟାନ ରେକର୍ଡ କରାଯାଇଛି।
ସୂଚନା ଅନୁସାରେ, ଭୁବନେଶ୍ବରର ଶୈଳଶ୍ରୀବିହାର ଅଞ୍ଚଳରେ ରହୁଥିବା ସମ୍ପୃକ୍ତ ଓଏଏସ୍ ଅଫିସରଙ୍କ ଘରେ ନାବାଳିକା ଦୁଇ ବର୍ଷ ହେଲା କାମ କରୁଥିଲେ। ଦଶହରା ଛୁଟିରେ ସେ ଘରକୁ ଯାଇଥିଲେ। ଝିଅର ଶାରୀରିକ ଲକ୍ଷଣ ଦେଖି ତାଙ୍କ ମା’ଙ୍କର ସନ୍ଦେହ ହୋଇଥିଲା। ସେ କାରଣ ପଚାରିବାରୁ ନାବାଳିକା ସବୁ କଥା କହିଥିଲେ।
ପ୍ରାୟ ୫/୬ ମାସ ହେଲା ଓଏଏସ୍ ଅଫିସରଙ୍କ ଶ୍ବଶୁର ତାଙ୍କୁ ଦୁଷ୍କର୍ମ କରୁଥିବା କହିଥିଲେ। ଏ କଥା କାହା ଆଗରେ ପ୍ରକାଶ କଲେ ତାଙ୍କ ସହ ପୂରା ପରିବାରକୁ ଜୀବନରୁ ମାରି ଦେବାକୁ ମଧ୍ୟ କହିଥିଲେ।
ତେବେ ସେ ଡରିଯାଇଥିଲେ ବୋଲି ନାବାଳିକା ତାଙ୍କ ମା’ଙ୍କ ଆଗରେ କହିଥିଲେ। ଥାନାରେ ଅଭିଯୋଗ କରିବା ପୂର୍ବରୁ ଡାକ୍ତରଖାନା ଯାଇ ପରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ।
ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପାଇଁ ପୀଡ଼ିତାଙ୍କ ମା’ ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା ବାଲିଚନ୍ଦ୍ରପୁର ଥାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
Comments are closed.