୬ ଦିନ ଧରି ଜେଲରେ ଅର୍ଣବ, ଆଜି ବି ମିଳିିଲାନି ଜାମିନ
ମୁମ୍ବାଇ: ଜାମିନ ଆଶାରେ ତୃତୀୟ ଥର ପାଇଁ ଆଜି ବି ଅର୍ଣବ ଗୋସ୍ବାମୀଙ୍କୁ ନିରାଶ ହେବାକୁ ପଡ଼ିଛି। ୬ ଦିନ ଧରି ଜେଲରେ ବିତାଇ ସାରିଥିବା ଅର୍ଣବଙ୍କ ଜାମିନ ଆବେଦନ ଉପରେ ଆଜି ମଧ୍ୟ ବମ୍ବେ ହାଇକୋର୍ଟ କୌଣସି ନିଷ୍ପତ୍ତି ଶୁଣାଇ ପାରିନାହାନ୍ତି।
ନଭେମ୍ବର ୬ ଓ ୭ ତାରିଖରେ ମଧ୍ୟ ଦୁଇଥର ଜାମିନ ଆବେଦନ କରି ନିରାଶ ହୋଇଛନ୍ତି ରିପବ୍ଲିକ୍ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀ।
ନଭେମ୍ବର ୪ ତାରିଖ ସକାଳେ ଅର୍ଣବଙ୍କୁ ତାଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଗିରଫ କରିଥିଲା ଅଲିଗଡ଼ ପୁଲିସ। ୨୦୧୮ ମସିହାରେ ଆର୍କିଟେକ୍ଟ ଅନ୍ବୟ ନାୟକ ଆତ୍ମହତ୍ୟା ଘଟଣାରେ ଅର୍ଣବଙ୍କ ସମେତ ଫିରୋଜ ଶେଖ୍ ଓ ନୀତୀଶ ଶାରଦାଙ୍କୁ ଗିରଫ କରିଥିଲା ପୁଲିସ। ଅନ୍ବୟ ନିଜର ସୁଇସାଇଡ୍ ନୋଟ୍ରେ ଏହି ତିନିଜଣଙ୍କ ଦାୟୀ କରିଥିବା ବେଳେ ଏମାନେ ୫ କୋଟିରୁ ଅଧିକ ଟଙ୍କା ବକେୟା ରଖିଥିବା ଅଭିଯୋଗ କରିଥିଲେ। ଗିରଫ ପରେ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଥିଲେ ରାଇଗଡ଼ ସେସନ୍ କୋର୍ଟ।
କୌଣସି ପ୍ରମାଣ ନଥିବା ଦର୍ଶାଇ ଏହି ମାମଲାକୁ ବନ୍ଦ କରି ଦେଇଥିବା ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ମଧ୍ୟ ପୂର୍ବରୁ ପୁଲିସ ଗିରଫ କରିଛି। କେବଳ ଅର୍ଣବଙ୍କ ଅନ୍ତରୀଣ ଜାମିନି ନେଇ ଉଚ୍ଚ ନ୍ୟାୟାଳୟ ଆଜି ଯୁକ୍ତି ଶୁଣିଥିବା ବେଳେ ତାଙ୍କ ଉପରୁ ମାମଲା ପ୍ରତ୍ୟାହାର ନେଇ ଶୁଣାଣି ଦୀପାବଳି ଛୁଟି ପରେ ଡିସେମ୍ବର ୧୦ ତାରିଖରେ ହେବ ବୋଲି ବମ୍ବେ ହାଇ କୋର୍ଟ କହିଛନ୍ତି।
Comments are closed.