ମୁଖ୍ୟସଚିବଙ୍କ ନାକତଳେ ନାଲିଗାର: ପ୍ରଦୂଷଣ ବୋର୍ଡ ବିବରଣୀରେ ଚଞ୍ଚକତା
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସରକାରଙ୍କ ଏକ ବୈଧାନିକ ଅନୁଷ୍ଠାନ ହୋଇଥିବା ବେଳେ ବର୍ତ୍ତାମନ ସମୟରେ ଏହାର ଗୁରୁତ୍ବ ବେଶ୍ ଅଧିକ। ଏହି ସଂସ୍ଥାର କାର୍ଯ୍ୟଧାରାକୁ ଅଧିକ ପ୍ରଭାବୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବଙ୍କୁ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ବ ଅର୍ପଣ କରିଛନ୍ତି। ତେବେ ବିଗତ କିଛି ବର୍ଷ ଧରି ଏହି ଅନୁଷ୍ଠାନରେ ମନମୁଖୀ କାର୍ଯ୍ୟ, ନିୟମକୁ ବେଖାତିର ଏପରିକି ନଥି ଗାୟବ ଭଳି ଅଭିଯୋଗ ଉଠିଛି। ରାଜ୍ୟର ପ୍ରାଶାସନିକ ମୁଖ୍ୟ ଖୋଦ୍ ମୁଖ୍ୟସଚିବଙ୍କ ନାକତଳେ ଥିବା ଏହି ସଂସ୍ଥାର କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ଉପରେ ଲାଗିଛି ନାଲିଗାର।
କିଛି ବର୍ଷ ଧରି ବୋର୍ଡର କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା ଓ କାର୍ଯ୍ୟରେ ନିରପେକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ବର୍ତ୍ତମାନ ଏହାର କାର୍ଯ୍ୟଦକ୍ଷତା ବଢ଼ାଇବା ଓ ମାନବ ସମ୍ବଳରେ ଉନ୍ନତି ଆଣିବା ଲକ୍ଷ୍ୟରେ ଗତ ୧୫ ଅକ୍ଟୋ ୨୦୨୦ରେ ବୋର୍ଡ଼ର ବୈଠକ ବସିଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବହୁ ପଦୋନ୍ନତି ସମ୍ବନ୍ଧୀୟ ପ୍ରସ୍ତାବ ଆଲୋଚିତ ହୋଇଥିଲା। ମୁଖ୍ୟତ ବରିଷ୍ଠ ପରିବେଶ ବୈଜ୍ଞାନିକ ଲେବୁଲ୍ ୧, ପ୍ରାଶାସନିକ ଅଧିକାରୀ, ବରିଷ୍ଠ ସହାୟକ ଇତ୍ୟାଦି ପଦବୀକୁ ପଦୋନ୍ନତି ଦେବା ପାଇଁ ଆବଶ୍ୟକ ହେଉଥିବା ସର୍ବନିମ୍ନ କାର୍ଯ୍ୟ ଅଭିଜ୍ଞତା ସମ୍ବନ୍ଧୀୟ ସର୍ତ୍ତକୁ କୋହଳ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା।
୨୦୧୧ ମସିହାରେ ବୋର୍ଡର ସର୍ଭିସ୍ ରୁଲ୍ ପ୍ରଣୟନ ହୋଇଛି। ଏହାର ଉଚିତ କାର୍ଯ୍ୟାନ୍ବୟନ ପୂର୍ବରୁ ସର୍ଭିସ୍ ରୁଲ୍ରେ ଅନେକ ସଂଶୋଧନ ପାଇଁ ବୋର୍ଡରେ ଏକ ନିର୍ଦ୍ଦିଷ୍ଟ ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ନିରନ୍ତର ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ବୈଠକରେ ପଦୋନ୍ନତି ପାଇଁ ଥିବା ଅଭିଜ୍ଞତା ସମ୍ବନ୍ଧୀୟ ସର୍ତ୍ତକୁ କୋହଳ କରିବା ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବ ଗ୍ରହଣ କରି ନ ଥିଲେ। ଏଥିପାଇଁ ଉଦ୍ଦିଷ୍ଟ ଏକ କମିଟିକୁ ଏହାର ତର୍ଜମା କରିବା ଓ ନୀତି ଆଧାରରେ ସୁପାରିଶ କରି ବୋର୍ଡ ତଥା ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ନିଷ୍ପତ୍ତି ମୁଖ୍ୟ ସଚିବ କହିଥିଲେ।
ତେବେ ବୈଠକର ବିବରଣୀରେ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଭୁଲ ଭାବେ ଲିପିବଦ୍ଧ କରାଯାଇଛି ବୋଲି ବୈଠକରେ ଉପସ୍ଥିତ ବୋର୍ଡ ସଦସ୍ୟଙ୍କ ଠାରୁ ସୂଚନା ମିଳିଛି। ବିବରଣୀରେ ର।ଜ୍ୟ ସରକାରଙ୍କ ଅନୁମୋଦନର ଆବଶ୍ୟକତାକୁ ଦର୍ଶାଯାଇ ନାହିଁ। ଏକ କନିଷ୍ଠ ଯନ୍ତ୍ରୀ (ଇଲେକ୍ଟିକାଲ) ପଦବୀ ସୃଷ୍ଟି କରିବା ନେଇ ପ୍ରସ୍ତାବ ବୈଠକରେ କାଟ ଖାଇଥିବା ବେଳେ ଏହାକୁ ବିବରଣୀରେ ଭିନ୍ନ ବାଗରେ ଲିପିବଦ୍ଧ କରାଯାଇଛି। ଏକ ପ୍ରଧାନ ବ୍ୟକ୍ତିଗତ ସଚିବ ପଦବୀ ସୃଷ୍ଟି ପ୍ରସ୍ତାବ ଉପରେ ମୁଖ୍ୟ ସଚିବ ଅତି କଟୁ ମନ୍ତ୍ରବ୍ୟ ରଖିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଏହା ବିବରଣୀରୁ ହଜିଯାଇଛି। ସେହିପରି ବଦଳି ପ୍ରସଙ୍ଗରେ ଆଲୋଚନା ନିଜ ଆଡ଼ୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ କିମ୍ଵା ଆଞ୍ଚଳିକ କାର୍ଯ୍ୟାଳୟରେ କୌଣସି ଅଧିକାରୀ ସର୍ବାଧିକ ୩ ରୁ ୫ ବର୍ଷ କାର୍ଯ୍ୟ କରିପାରିବେ, ତା ପରେ ତାଙ୍କର ବଦଳି କରାଯିବ ଓ ଏଥିପାଇଁ ଏକ ବଦଳି ନୀତି ତୁରନ୍ତ ପ୍ରଣୟନ କରି ଉପସ୍ଥାପନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ତେବେ ଚଞ୍ଚକତା କରି ୩ ରୁ ୫ ଗୋଟିଏ ସ୍ଥାନରେ କାର୍ଯ୍ୟକାଳ ସମ୍ବଳିତ ନିର୍ଦ୍ଦେଶକୁ ବିବରଣୀରେ ରଖାଯାଇନାହିଁ।
ଦୀର୍ଘ ଦିନ ଧରି ଗୋଟିଏ ସ୍ଥାନରେ କ୍ଷମତା ଜାବୁଡି ବସିଥିବା କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ନିଜର ବଦଳି ବନ୍ଦ କରିବା ଉଦ୍ଦେଶ୍ୟରେ କୌଶଳକ୍ରମେ ସଦସ୍ୟ ସଚିବଙ୍କୁ ବୁଝାଇ ଉପରୋକ୍ତ ପ୍ରସ୍ତାବକୁ କାଟି ଦେଇଛନ୍ତି। ବୈଠକ ବିବରଣୀରେ ନାନାଦି ଚଞ୍ଚକତା, ତଥ୍ୟ ହଟାଇବା, ତଥ୍ୟ ପରିବର୍ତ୍ତନ କରିବା ଓ ଯୋଡ଼ିବା ଭଳି ନାନାଦି ନଥିଗତ ଅପରାଦ ଦେଖିବାକୁ ମିଳିଛି। ଏପରିକି ବିକୃତ ବିବରଣୀକୁ ଚଞ୍ଚକତା କରି ମୁଖ୍ୟ ଶାସନ ସଚିବଙ୍କ ଠାରୁ ମଧ୍ୟ ଅନୁମୋଦନ କରାଇ ନେବାରେ ଦୁଃସାହସ କରିଛନ୍ତି ବୋର୍ଡ ଅଧିକାରୀ। ଏସବୁ ଅଭିଯୋଗର ସତ୍ୟତା ପରଖିବା ପାଇଁ ବୈଠକରେ ଉପସ୍ଥିତ ସଦସ୍ୟଙ୍କ ବୟାନ ନିଆଯିବା ସହ ବୈଠକର ଭିଡ଼ିଓ ରେକର୍ଡିଂ ଯାଞ୍ଚ୍ କରାଯାଉ ବୋଲି କିଛି ଅଧିକାରୀ ଦାବି କରିଛନ୍ତି। ନିଜର ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବୋର୍ଡ କର୍ମଚାରୀ କହିଛନ୍ତି ଯେ, ପୂର୍ବରୁ ଦୁର୍ନୀତିର ପାହାନ ଉପରେ ଠିଆ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କିଛି ଅଧିକାରୀଙ୍କ ପାଇଁ ସୁନାଖଣି ପାଲଟିଛି। କୌଶଳ କରି ଗୋଟିଏ ପଦବୀରେ ବା ଗୋଟିଏ ସ୍ଥାନରେ ରହିବାକୁ ଅନେକ କର୍ମଚାରୀ କଳ ବଳ କୌଶଳ ଲଗାଇ ସେମାନଙ୍କୁ ସୁଆଉ ନ ଥିବା ନିୟମ, ନିର୍ଦ୍ଦେଶ ବା ନିଷ୍ପତ୍ତି ସବୁରେ ପରିବର୍ତ୍ତନ କରିଦେଉଥିବା ଅଭିଯୋଗ ହୋଇଛି। ତଦନ୍ତ କରାଗଲେ, ଏଭଳି ବହୁ ଚଞ୍ଚକତା ସାମନାକୁ ଆସିବ ବୋଲି ଅଧିକାରୀ ଜଣକ ଦୃଢ଼ୋକ୍ତି ବାଢ଼ିଛନ୍ତି।
ରାଚକ ବିଷୟ ହେଉଛି ପଦୋନ୍ନତି ଓ ପଦବୀ ସୃଷ୍ଟି ପାଇଁ ସୁପାରିଶ କମିଟିରେ ସହାୟକ ପ୍ରାଶାସନିକ ଅଧିକାରୀ ନିଜେ ସଭ୍ୟ ଅଛନ୍ତି। ତାଙ୍କର ପରବର୍ତ୍ତୀ ଉଚ୍ଚ ପଦବୀକୁ ପଦୋନତି ପାଇଁ ଆବଶ୍ୟକ ଅଭିଜ୍ଞତା ନ ଥିଲେ ହେଁ ସେ ସର୍ତ୍ତକୁ କୋହଳ କରିବା ପାଇଁ ଏବଂ ନିଜକୁ ଉଚ୍ଚ ପଦବୀରେ ଯଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ଅବସ୍ଥାପିତ କରିବା ପାଇଁ ଉଦ୍ୟମ ଚଳାଇଥିବା ଅଭିଯୋଗ ହେଉଛି। ନିଷ୍ପତ୍ତିର ହିତାଧିକାରୀ ନିଜେ ନିଷ୍ପତ୍ତି ନେବା ବା ନିଜର ଭାଗ୍ୟ ନିଜେ ନିର୍ଦ୍ଧାରଣ କରିବା ସମ୍ପୂର୍ଣ୍ଣ ନୀତିବିରୁଦ୍ଧ ହୋଇଥିଲେ ହେଁ କେହି ପାଟିଫିଟାଇବାକୁ ସାହସ କରୁନାହାନ୍ତି। ଏହାକୁ ନେଇ ବୋର୍ଡରେ ପ୍ରବଳ ଅସନ୍ତେଷ ଦେଖା ଦେଇଛି। ନିୟମକୁ ନିଜ ବାଗରେ ପରିଚାଳିତ କରି ବୋର୍ଡରେ ମନମୁଖୀ ଶାସନ ଚଳାଇଥିବା କିଛି ଅଧିକାରୀଙ୍କର ରାଜ୍ୟର ବରିଷ୍ଠ ରାଜନେତା ଓ ବରିଷ୍ଠ ସଚିବମାନଙ୍କ ସହ ସୁସମ୍ପର୍କ ଥିବାରୁ ଷଡ଼ଯନ୍ତ୍ରର ଶିକାର ହେବା ଭୟରେ କେହି ଏ ବାଦରେ ତୁଣ୍ଡ ଖୋଲିବାକୁ ସାହସ କରୁନଥିବା ଜଣାପଡ଼ିଛି। ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ବିନା ବୋର୍ଡରେ ଚାଲିଥିବା ଚଞ୍ଚକତାରେ କୌଣସି ପରିବର୍ତ୍ତନ ଆସିବନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।
Comments are closed.