ଫାଟକରେ ତାଲା, ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜିଠାରୁ ବିଏସ୍ଡବ୍ଲୁ (ସମାଜସେବାରେ ସ୍ନାତକ) ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଇନ୍ଫୋସିଟି ଅଞ୍ଚଳରେ ଥିବା ସୁବାସ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକନଲୋଜିରେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ। କ୍ୟାମ୍ପସ ଫାଟକରେ ତାଲା ପଡ଼ିଥିବା କାରଣରୁ ପରୀକ୍ଷା ଦେବାକୁ ପହଞ୍ଚିଥିବା ଛାତ୍ରଛାତ୍ରୀମାନଙ୍କୁ ନିରାଶ ହେବାକୁ ପଡ଼ିଛି।
ଆଜି ପୂର୍ବାହ୍ଣରେ ରାଜ୍ୟ ବ୍ୟାପି ବିଭିନ୍ନ ମହାବିଦ୍ୟାଳୟରେ ବିଏସ୍ଡବ୍ଲୁ ପରୀକ୍ଷା ଆରମ୍ଭ ହୋଇଛି। କରୋନା କାରଣରୁ ଘରେ ରହୁଥିବା ସୁବାସ ଏକାଡେମିର ଛାତ୍ରଛାତ୍ରୀମାନେ ଆଜି ପରୀକ୍ଷା ଦେବାକୁ କଲେଜରେ ପହଞ୍ଚିଥିଲେ। ତେବେ ସେମାନଙ୍କୁ ଭିତରକୁ ଛଡ଼ାଯାଇ ନ ଥିଲା। କାରଣ ଜାଣିବା ପାଇଁ କର୍ତୃପକ୍ଷଙ୍କ ସହ ଆଲୋଚନା ଉଦ୍ୟମ କରି ଛାତ୍ରଛାତ୍ରୀମାନେ ବିଫଳ ହେବା ପରେ ଇନଫୋସିଟି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରୁଛନ୍ତି।
ଏ ନେଇ ଆମେ କଲେଜର ପ୍ରତିଷ୍ଠାତା ସଭାପତି ସୁବାସ ମଲ୍ଲିଙ୍କୁ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ତାଙ୍କର ଫୋନ୍ ବନ୍ଦ ଥିବା କାରଣରୁ ତାହା ସମ୍ଭବ ହୋିପାରିନାହିଁ। ଅନ୍ୟପଟେ କ୍ୟାମ୍ପସରେ ଥିବା ଜଣେ କର୍ମଚାରୀ ଜ୍ଞାନରଂଜନ ଜେନାଙ୍କୁ ଆମେ ଯୋଗାଯୋଗ କରିଥିଲୁ। ସେ ପ୍ରଥମେ ନିଜକୁ କ୍ୟାମ୍ପସ୍ ଇନ୍-ଚାର୍ଜ କହିଥିବା ବେଳେ ଆମେ ପରୀକ୍ଷା ବନ୍ଦ ବାବଦରେ ପଚାରିବାରୁ ସେ ନିଜକୁ କଲେଜର ସୁରକ୍ଷାକର୍ମୀ ବୋଲି ପରିଚୟ ଦେଇଥିଲେ। ସେ କିଛି ଜାଣିନାହାନ୍ତି ଓ ଫାଟକ ବନ୍ଦ କରିବାକୁ ଉପରୁ ନିର୍ଦ୍ଦେଶ ରହିଛି ବୋଲି ଶ୍ରୀ ଜେନା କହିଛନ୍ତି।
ଏ ନେଇ ଆମେ ଉତ୍କଳ ବିଶ୍ବଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀଙ୍କୁ ଯୋଗାଯୋଗ କରିଥିଲୁ। ଏ ବାବଦରେ ସେ ଆଦୌ ଅବଗତ ନ ଥିବା କହିଛନ୍ତି। ସମସ୍ତ କଲେଜକୁ ପ୍ରଶ୍ନପତ୍ର ପଠାଯାଇଛି, ଏଣୁ ପରୀକ୍ଷା ନିଶ୍ଚୟ ହେବାକଥା ବୋଲି ସେ କହିଛନ୍ତି। ସୁବାସ ଏକାଡେମୀରେ କାହିଁକି ପିଲାମାନଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଛି, ସେ ଏହାର ଅନୁସନ୍ଧାନ କରିବେ ବୋଲି କହିଛନ୍ତି।
ଇନ୍ଫୋସିଟି ଥାନା ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ଆମେ ସେ ଅଞ୍ଚଳର ଅତିରିକ୍ତ ପୁଲିସ କମିଶନର୍ ତରୁଣ କୁମାର ଦାସଙ୍କୁ ଆମେ ଯୋଗାଯୋଗ କରିଥିଲୁ। ଘଟଣା ବାବଦରେ ସେ ବୁଝିବେ ବୋଲି କହିଛନ୍ତି।
Comments are closed.