Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଖୋଜା

ଭୁବନେଶ୍ବର: ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲ ବିଧାନସଭା ଆସନ ପାଇଁ ଆଗକୁ ହେବ ଉପନିର୍ବାଚନ। ଏଥିପାଇଁ ପିପିଲିର ପ୍ରାର୍ଥୀ ଚୟନ ନେଇ କଂଗ୍ରେସର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏନେଇ ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ଆଠ ଦଶଦିନ ମଧ୍ୟରେ ବ୍ଲକ୍‌, ଏନ୍‌ଏସି, ପଞ୍ଚାୟତ କମିଟି ଗଠନ ହେବ। ଏହାପରେ ପିସିସି ପକ୍ଷରୁ ଗଠିତ କମିଟି ପ୍ରାର୍ଥୀ ଚୟନ କରିବେ। ପିପିଲିରେ ଆମକୁ ନିଶ୍ଚିତ ଭାବେ ଯୋଗ୍ୟ ପ୍ରାର୍ଥୀ ମିଳିବେ ବୋଲି କହିଛନ୍ତି ନିରଞ୍ଜନ।

ସେପଟେ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଡେଲାଙ୍ଗ ବ୍ଲକରେ ଏବେ ରାଜନୈତିକ ତତ୍ପରତା ଲକ୍ଷ୍ୟ କରାଯାଉଛି। ଦିବଙ୍ଗତ ବିଧାୟକ ମହାରଥୀଙ୍କ ଧର୍ମପତ୍ନୀ ପ୍ରତିଭା ମହରାଥୀଙ୍କୁ ଆଗାମୀ ଉପନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ କରିବା ପାଇଁ ନିବେଦନ କରିବାକୁ ଡେଲାଙ୍ଗ ବ୍ଲକ ବିଜେଡିର ସାଧାରଣ ପରିଷଦ ବୈଠକ ନିଷ୍ପତ୍ତି ହୋଇଛି ।

ଏ କ୍ଷେତ୍ରରେ ବିରୋଧୀ ଦଳ ଶିବିର ମଧ୍ୟ ଖୁବ ଚଳଚଞ୍ଚଳ ରହିଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଶି୍ରତ ପଟ୍ଟନାୟକଙ୍କୁ ୨୦୧୯ ନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା । ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ଦଳର ଜିଲ୍ଲା ସଭାପତି ଭାବେ ଏହି ପଦ ପାଇଁ ସେ ପ୍ରଥମ ଦାବିଦାର ରହିଥିଲେ ମଧ୍ୟ ବିଜେପିର ବରିଷ୍ଠ କର୍ମକର୍ତ୍ତା ଦିବଂଗତ ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କ ପୁଅ ସମୀର ଗଜେନ୍ଦ୍ର, ଗତ ପଞ୍ଚାୟତ ନିର୍ବାଚନରେ ୨ଟି ପଞ୍ଚାୟତର ଉତ୍ତମ ପ୍ରଦର୍ଶନ କରିଥିବା ସମିତି ସଭ୍ୟ ଦୁର୍ଗାଚରଣ ରାଉତରାୟ ଦଳୀୟ ଟିକସ ପାଇଁ ଲବି ଆରମ୍ଭ କରିଦେଇଛନ୍ତି।

Comments are closed.