ପାକିସ୍ତାନ ଜେଲରେ ଓଡ଼ିଆ କଏଦୀ: ବଖାଣିଲେ ଅତ୍ୟାଚାରର ଅଭିଜ୍ଞତା
କୁତ୍ରା: ପାକିସ୍ତାନ ଜେଲ୍ରେ ୨୦ ବର୍ଷ ବିତାଇ ଘରକୁ ଫେରିବା ପରେ ନିଜ ଅଭିଜ୍ଞତାର କାହାଣୀ ବଖାଣିଛନ୍ତି ବିରଜୁ କୁଲୁ। ଘରେ ପହଞ୍ଚିବା ଦିନ ସେ ଠିକ୍ରେ କିଛି କହି ପାରିନଥିଲେ, ହେଲେ ଦିନକ ପରେ ପାକିସ୍ତାନ ଜେଲ୍ରେ ପାଇଥିବା ନିର୍ଯାତନାର କାହାଣୀ କହିଛନ୍ତି ବିରଜୁ। ଠିକ୍ ଭାବେ ସବୁକଥା ମନେ ପକାଇ ପାରୁ ନଥିଲେ ବି ରାଞ୍ଚିରୁ ପାକିସ୍ତାନ ପହଞ୍ଚିଯିବାର ପୂରା କାହାଣୀ କହିଛନ୍ତି ବିରଜୁ।
କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗର ପଡାର ବିରଜୁ ମାନସିକ ଅନଗ୍ରସର ଥିଲେ। ପ୍ରାୟ ୨୫ ବର୍ଷ ତଳେ କିଶୋର ଥିବାବେଳେ ସେ ଘରଛାଡି ଝାଡ଼ଖଣ୍ଡକୁ ଚାଲି ଯାଇଥିଲେ। ସେଠାରେ ସେ ତାଙ୍କ ମାମୁଁ ଘର ବଲବାରେ ରହୁଥିଲେ। ରାଞ୍ଚିରୁ ପୁଣି ଦିନେ କୁଆଡ଼େ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ। ତାଙ୍କର କିଛି ପତ୍ତା ମିଳି ନଥିଲା। ତାଙ୍କ ଫେରିବା ବାଟକୁ ଅନାଇ ବାପା ମାଆ ଆଖି ବୁଜିଦେଲେ। ସେ ଆଉ ବଞ୍ଚି ନାହାନ୍ତି ବୋଲି ଗାଁ ଲୋକେ ଭାବିନେଲେ। ତେବେ ସେ ଚାଲିବୁଲି ପାକିସ୍ତାନ ସୀମା ପହଞ୍ଚି ଯାଇଥିଲେ ଓ ସୀମା ପାରକରି ଆରପଟକୁ ଚାଲି ଯାଇଥିଲେ।
ବିରଜୁ ମନେ ପକାଇ କହିଛନ୍ତି ଯେ, ସୀମାରେ ଲାଗିଥିବା ତାରବାଡରେ ପଶି ଯାଉଥିବା ବେଳେ ତାଙ୍କ ସାର୍ଟଟି ଚିରିଯାଇଥିଲା। କିନ୍ତୁ ସେ ପାକିସ୍ତାନ ଭିତରେ ପଶି ଗଲେଣି ବୋଲି ଜାଣି ପାରି ନଥିଲେ। ସେପଟରେ ଥିବା ଏକ ବଡ କ୍ଷେତରେ କାମ କରୁଥିଲେ କିଛି କୃଷକ। ସେମାନେ ବିରଜଙ୍କୁ ଏକ ଟ୍ରାକ୍ଟରରେ ବସାଇ ନେଇଯାଇଥିଲେ ପାକିସ୍ତାନର ଶିଖରପୁରକୁ। ତାପରେ ଶିଖରପୁର ପୁଲିସ ତାଙ୍କୁ ଗିରଫ କରି ଗୋଟିଏ ସପ୍ତାହ ରଖିଥିଲା। ହାଜତରେ ବିରଜୁଙ୍କୁ ଅକଥନୀୟ ନିର୍ଯାତନା ଦିଆ ଯାଇଥିଲା, ଯାହାର କାରଣ ବି ସେ ବୁଝି ପାରୁ ନଥିଲେ।
ଥାନା ହାଜତରେ ଗୋଟିଏ ସପ୍ତାହ ରଖିବା ପରେ ତାଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା। ତାପରେ ଲାହୋର ଜେଲ୍ର ଏକ ଅନ୍ଧାର କୋଠରୀରେ କଳା ପୋଷାକ ପିନ୍ଧାଇ ଜଞ୍ଜିରରେ ବାନ୍ଧି ତାଙ୍କୁ ପୂରା ୨୦ ବର୍ଷ ବନ୍ଦୀ କରି ରଖା ଯାଇଥିଲା। ତାଙ୍କୁ ବାହାରକୁ ଥରଟିଏ ବି ଛଡ଼ାଯାଇ ନ ଥିଲା। ଭାରତର ଗୁପ୍ତଚର ଭାବି କେତେବେଳେ ଚାବୁକରେ ପ୍ରହାର କରା ଯାଉଥିଲା ତ ଆଉ କେତେବେଳେ ଲୁହା ରଡ୍ରେ ମାଡ଼ ମରା ଯାଉଥିଲା।ଏସବୁ କହିବାବେଳେ ବିରଜୁ ତାଙ୍କ ଗୋଡ ଦୁଇଟିକୁ ଦେଖାଇଥିଲେ, ଯେଉଁଥିରେ ଘାଆ ହୋଇଥିବା ପୁରୁଣା କ୍ଷତ ଚିହ୍ନ ଜଣା ପଡୁଛି।
ଏଥିସହ ବିରୁଜୁଙ୍କୁ ବନ୍ଧୁକ ଦେଖାଇ ଧମକ ବି ଦିଆ ଯାଉଥିଲା। ବିନା କଥାବାର୍ତ୍ତାରେ ଲୁହା ରଡ୍ରେ ଦୁଇ ପାଦକୁ ରାଗରେ ମାଡ ମାରୁଥିଲେ ଜେଲ୍ କର୍ମଚାରୀ। ଦିନକୁ ଗୋଟିଏ ଥର ମାଡ ହେଉଥିଲା ନିଶ୍ଚୟ। ସେ ଜେଲରେ ବିରଜୁଙ୍କ ସହିତ ଆହୁରି କିଛି ଭାରତୀୟ ଥିବା କଥା ସେ କହିଛନ୍ତି। ସେ କହିଛନ୍ତି, ତାଙ୍କ ସାଥୀରେ ଥିବା ୨ ଜଣ ବିହାରୀ ସାଙ୍ଗଙ୍କ ମୃତ୍ୟୁ ହୋଇଥିଲା ସେହି ଜେଲ୍ ଭିତରେ। ତେବେ ଜେଲ୍ରେ ତାଙ୍କୁ ସପ୍ତାହକୁ ୨ ଦିନ ବିରିଆନି ଦିଆ ଯାଉଥିବାବେଳେ ସୋମବାର ଓ ମଙ୍ଗଳବାର ଦିନ ଭାତ ଏବଂ ଅନ୍ୟଦିନ ଗୁଡ଼ିକରେ ରୁଟି ଖାଇବାକୁ ଦେଉଥିବା ସେ ପ୍ରକାଶ କରିଛନ୍ତି।
ବିରୁଜୁ ଆହୁରି କହୁଛନ୍ତି, ‘‘ସେଠାରେ ବନ୍ଦୀ ଅବସ୍ଥାରେ ଘର ଓ ପରିବାର କଥା ମୋର ବହୁତ ମନେ ପଡୁଥିଲା। ଗୋଟିଏ କୋଠରିରେ ୨୦ ଜଣକୁ ରଖାଯାଉଥିଲା। ଏଥିସହ ଜେଲ ଭିତରେ ତାଙ୍କର ୧୭ ଜଣ ସାଙ୍ଗ ଥିଲେ। ସେମାନଙ୍କ ଭିତରୁ ରାଜୁ ସୋମାର, ବନବାସୀ ଓ ରବି ପ୍ରମୁଖ। ବିରୁଜୁ କହିଛନ୍ତି, ‘ ସାଙ୍ଗମାନେ ଖୁସିରେ ମତେ ବିଦାୟ ଦେଇଥିଲେ।’
Comments are closed.