Odisha Link
Bridging the Missing Links in Odisha

ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିର: ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ମନୀଷଙ୍କ ବଦଳରେ ୱାଇ ବିଜୟଙ୍କୁ ମାଲକାନଗିରିର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ତେବେ ମନୀଷ ଅଗ୍ରୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଅଭିଯୁକ୍ତ ତାଲିକାରେ ରହିଛନ୍ତି। ତାଙ୍କ ବ୍ୟତୀତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟ ୩ଜଣ କର୍ମଚାରୀଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି ପୁଲିସ ଦର୍ଶାଇଛି। ତେଣୁ ତାଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଦିଆଯାଇଛି।

ଦେବ ନାରାୟଣଙ୍କ ମୃତ୍ୟୁର ପ୍ରାୟ ୧୧ମାସ ପରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଡିଏସ୍‌ପି ବଳଭଦ୍ର ଦୀପଙ୍କୁ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। ଏବେ ଘଟଣାର ସାନି ତଦନ୍ତ ଆରମ୍ଭ ହେବ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ହତ୍ୟା ଏବଂ ପ୍ରମାଣ ନଷ୍ଟ ନେଇ ମାମଲା ରୁଜୁ କରିଛି। ଜିଲ୍ଲାପାଳଙ୍କ ସମେତ ଅନ୍ୟ ୩ଜଣଙ୍କ ବିରୋଧରେ ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି) ଏବଂ ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡିଏସପି ବଳଭଦ୍ର ଦୀପ ଘଟଣାର ତଦନ୍ତ କରି ଆସନ୍ତା ୨୪ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ଦାଖଲ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସ ୨୮ତାରିଖ ଦିନ ଦେବ ନାରାୟଣଙ୍କ ଶବ ମାଲକାନଗିରି ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର କରାଯାଇଥିଲା। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଦେବ ନାରାୟଣ ଆତ୍ମହତ୍ୟା କରିଥିବା ପ୍ରକାଶ କରିଥିଲେ। ହେଲେ ପରିବାର ଲୋକେ ଦେବ ନାରାୟଣଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ କରିଥିଲେ। ଏପରିକି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ ତାଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ହତ୍ୟାକାରୀ ବୋଲି ଅଭିଯୋଗ ଆଣିଥିଲେ।

ଥାନାରେ ଏତଲା ଦେବା ସହ ପୁଲିସ ନିକଟରେ ଥିବା ଦେବ ନାରାୟଣଙ୍କ କିଛି ଜିନିଷ ଏବଂ ଭିସେରା ରିପୋର୍ଟ ମାଗିଥିଲେ। କିନ୍ତୁ ପୁଲିସ ଏବଂ ପ୍ରଶାସନ ଏହି ଘଟଣାରେ ତାଙ୍କୁ ଆଦୌ ସହଯୋଗ କରୁ ନଥିଲେ। ତେଣୁ ମାଲକାନଗିରି ଏସ୍‌ଡିଜେଏମଙ୍କ କୋର୍ଟରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଡିଇଓ ଭି. ବେଣୁ, ଷ୍ଟେନୋ ପ୍ରକାଶ ସ୍ବାଇଁ ଏବଂ ଅବସରପ୍ରାପ୍ତ ଓଆରଏସ୍ ଭଗବାନ ପାଣିଗ୍ରାହୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଆବେଦନ କରିଥିଲେ ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା। ଘଟଣା ସଂପର୍କିତ ଶହେ ପୁଷ୍ଠାର ବିବରଣୀ ମଧ୍ୟ କୋର୍ଟରେ ଦାଖଲ କରିଥିଲେ।

Comments are closed.