Odisha Link
Bridging the Missing Links in Odisha

ବିହାର ମହାମେଣ୍ଟରେ ଫାଟ! ଆରଜେଡି ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଲେ ଏହି କଥା

ପାଟନା: କରୋନା କାଳରେ ସରିଛି ବିହାର ନିର୍ବାଚନ। ଗୋଟିଏ ପଟେ ଏନଡିଏ ସରକାର ଗଠନ କରିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଅନ୍ୟପଟେ ମହାମେଣ୍ଟରେ ଦେଖା ଯାଇଛି ଫାଟ। ଆଜି ଅପରାହ୍ନରେ ନୀତିଶ କୁମାର ୭ମ ଥର ଭାବେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିଓ୍ବାରୀ କଂଗ୍ରେସକୁ କଟୁ ସମାଲୋଚନା କରିଛନ୍ତି। ଏଥିସହିତ ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀ ପାଇଁ ବିଜେପିକୁ ଫାଇଦା ମିଳିଛି।

ଶିବାନନ୍ଦ ତିଓ୍ୱାରୀ ଆହୁରି କହିଛନ୍ତି ଯେ, ଚଳିତ ନିର୍ବାଚନରେ କଂଗ୍ରେସ ମହାମେଣ୍ଟ ପାଇଁ ଅଡୁଆ ବଢାଇଥିଲା। ଦଳ ତରଫରୁ ୭୦ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ୭୦ଟି ରାଲି ମଧ୍ୟ ହୋଇନଥିଲା। ରାହୁଲ ଗାନ୍ଧୀ ବିହାରକୁ କେବଳ ତିନି ଦିନ ପାଇଁ ଆସିଥିଲେ। ପ୍ରିୟଙ୍କା ଗାନ୍ଧୀ ଆସିନଥିଲେ କାରଣ ସେ ବିହାରରେ ସେତେ ମାତ୍ରାରେ ପରିଚିତ ନୁହଁନ୍ତି। ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ନିର୍ବାଚନରେ ୭୦ଟି ଆସନରେ ପ୍ରାର୍ଥୀ ଦେଇଥିଲା ହେଲେ କେବଳ ୧୯ଟି ଆସନରେ କଂଗ୍ରେସକୁ ବିଜୟୀ ମିଳିଥିଲା ଯାହା ଫଳରେ ମହାମେଣ୍ଟ ନିର୍ବାଚନ ହାରିଥିଲା।

ସେ ଆହୁରି କହିଛନ୍ତି ଯେ, ବିହାରରେ ନିର୍ବାଚନ ଉଷ୍ମତା ଜୋର୍ ଧରିଥିବା ବେଳେ ରାହୁଲ ଗାନ୍ଧୀ ସିମଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ଘରେ ପିକନିକ୍ କରୁଥିଲେ। ଏପରି ହେଲେ ଦଳ ଚାଲିବ ନାହିଁ। କଂଗ୍ରେସ ଦଳ ଯେପରି ଭାବେ ଚାଲୁଛି, ଏଥିରୁ ବିଜେପିକୁ ଫାଇଦା ମିଳୁଛି। ରାହୁଲ ଗାନ୍ଧୀଙ୍କ ଘରେ ବୈଠକ ହୋଇଥିଲା। ଏଥିରେ କପିଲ ଶିବ୍ବଲ, ଶଶି ଥରୁର, ମନୀଷ ତିଓ୍ୱାରୀ ଆଦି ସମସ୍ତେ ଉପସ୍ଥିତ ଥିଲେ। ସମସ୍ତେ ଜୀବନ ସାରା କଂଗ୍ରେସରେ ରହିବେ ବୋଲି ଏକ ଚିଠିରେ କହିଥିଲେ। ଏପରି ହେଲେ ଦଳ ଆଗକୁ ବଢିପାରିବ ନାହିଁ। କେବଳ ବିହାର ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ଅଧିକରୁ ଅଧିକ ଆସନରେ ନିର୍ବାଚନ ଲଢିବା ନେଇ ଜୋର୍ ହେଉଛି। କିନ୍ତୁ ଜିତିବାରେ ବିଫଳ ହେଉଛି। କଂଗ୍ରେସ ଏହାକୁ ନେଇ ଆତ୍ମସମୀକ୍ଷା କରୁ ବୋଲି ସେ କହିଛନ୍ତି।

Comments are closed.