ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍
ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି। ଏହି ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏବେ ବି ଆହୁରି ୨ ଅଭିଯୁକ୍ତ ଫେରାର ଅଛନ୍ତି। ଗଣହତ୍ୟାରେ ୯ ଜଣଙ୍କର ସଂପୃକ୍ତି ଥିବା ସ୍ୱତନ୍ତ୍ର ପୋଲିସ ଟିମ୍ ପକ୍ଷରୁ ସୂଚନା ମିଳିଛି।
ଗଣହତ୍ୟା ମାମଲାର ପର୍ଦ୍ଦାଫାସ କରି ବଲାଙ୍ଗିର ଏସ୍ପି ସନ୍ଦୀପ ସଂପଦ କହିଛନ୍ତି “ଗଣ୍ଡ, ଜାନି ଓ ମାଝି ପରିବାର ସହ ବୁଲୁ ଜାନିଙ୍କ ଶତ୍ରୁତା ଥିଲା। ଗତ ୧୦ ବର୍ଷ ହେଲା ୩ ପରିବାରକୁ ବୁଲୁ ଜାନି ହଇରାଣ କରୁଥିଲେ। ନିର୍ଯାତନା ବଢ଼ିବାରୁ ବୁଲୁଙ୍କ ପୂରା ପରିବାରକୁ ନିପାତ କରିବାକୁ ଯୋଜନା ହୋଇଥିଲା। ଘଟଣା ଦିନ ରାତିରେ ୬ ଜଣ ମାରଣାସ୍ତ୍ର ଧରି ଆସିଥିଲେ। ରାତିରେ ବୁଲୁ ପରିସ୍ରା ପାଇଁ ଉଠିଥିବା ବେଳେ ତାଙ୍କୁ ଗୁଳି କରିଥିଲେ ଅଭିଯୁକ୍ତ। ମାତ୍ର ଗୁଳି ତାଙ୍କ ଦେହରେ ବାଜି ନଥିଲା। ବୁଲୁ ଘର ଭିତରକୁ ଦୌଡ଼ି ପଳାଇ ଯାଇଥିଲେ। ପରେ ସମସ୍ତ ଅଭିଯୁକ୍ତ ଘର ଭିତରେ ପଶି ଆଖିବୁଜା ହାଣିଥିଲେ। ପିଲା ବଡ଼ ହେଲେ ପ୍ରତିଶୋଧ ନେବା ଆଶଙ୍କାରେ ସମସ୍ତଙ୍କୁ ମାରିଥିଲେ।”
ଏହି ଘଟଣାରେ ୭ ଅଭିଯୁକ୍ତ ବାବୁଲା ଜାନୀ, ଛାୟା ଗଣ୍ଡ, ବୈଦେବ ଗଣ୍ଡ, ମନିସ ଗଣ୍ଡ, ଭୋଲା ଜାନି, ଶିବା ଜାନି, ଦିପେଲ୍ କଇରିଙ୍କୁ ଗିରଫ କରିଛି ପୋଲିସ। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ଖଣ୍ଡା, ଲୁହା ରଡ୍, ଗଇଁତି, ଫାର୍ସା ଜବତ ହୋଇଛି। ୨ଟି ଲୁନା, ଗୋଟିଏ ବାଇକ୍, ୬ଟି ମୋବାଇଲ, ପେଟ୍ରୋଲ ଜବତ ହୋଇଛି। ପୋଲିସର ୫ଟି ଟିମ୍ ମିଳିତ ଅଭିଯାନ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅନ୍ତର୍ଗତ କୁସୁମପଡ଼ାରେ ଗୋଟିଏ ଘର ଭିତରେ ୬ ଜଣଙ୍କର ମୃତଦେହ ପଡିରହିଥିଲା। ଉକ୍ତ ଘର ବୁଲୁ ଜାନିଙ୍କର ବୋଲି ଜଣାପଡ଼ିଥିଲା। ସେ ପେଶାରେ ମହୁ ବିକାଳିଥିଲ। କିଛି ବର୍ଷ ହେବ କୁସୁମପଡ଼ାରେ ଘରକରି ରହୁଥିଲେ। ଘରେ ବୁଲୁ ଜାନି, ତାଙ୍କ ପତ୍ନୀ ଓ ୪ ନାବାଳକ ପିଲାଙ୍କୁ ହତ୍ୟା କରାଯାଇଥିଲା।
Comments are closed.