Odisha Link
Bridging the Missing Links in Odisha

ପ୍ରେମ ନିବେଦନ ପଡ଼ିଲା ମହଙ୍ଗା, ସରପଞ୍ଚ ଗିରଫ

କଳାହାଣ୍ଡି: ଜଣେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ କହିଥିବା କଥା ପଡ଼ିଲା ମହଙ୍ଗା। ମ.ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଲି ସରପଞ୍ଚ ରମେଶ ସାହୁଙ୍କୁ ପୁଲିସ ଗିରଫ କରିଛି। ସମ୍ପୃକ୍ତ ଯୁବତୀଙ୍କ ଏତଲା ପାଇବା ପରେ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ ଘଟଣାର ତଦନ୍ତ କରି  ସାହୁଙ୍କୁ ଗିରଫ କରିଛନ୍ତି।

ସୂଚନା ଅନୁସାରେ, ଯୁବତୀ ଜଣକ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଘରଟିଏ ପାଇଁ ସରପଞ୍ଚଙ୍କୁ ନିବେଦନ କରିଥିଲେ। ତେବେ ସରପଞ୍ଚ ଘର ଦେବା ବାହାନାରେ ତାଙ୍କ ଫୋନ୍ ନମ୍ବର ନେଇ ସେଥିରେ ପ୍ରେମ ନିବେଦନ କରିବା ସହ ତାଙ୍କ ଘରକୁ ଆସି ଶାରୀରିକ ସଂପର୍କ ରକ୍ଷା କରିବାକୁ ବାଧ୍ୟ କରିଥିଲେ।

ଏମିତିକି ଏକଥା କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲେ।ସରପଞ୍ଚଙ୍କ ଏଭଳି ଅଶାଳୀନ ଆଚରଣରେ ଅତିଷ୍ଠ ହୋଇ ଶେଷରେ ଯୁବତୀ ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ। ଯୁବତୀଙ୍କ ବାପା ମା ଗୁଜରାଟର ରାଜକୋଟକୁ ଦାଦନ ଖଟିବାକୁ ଯାଇଛନ୍ତି । ଘରେ କେବଳ ୪ ଭାଇ ଭଉଣୀ ଅଛନ୍ତି ।

ସରପଞ୍ଚ ରମେଶ ଚନ୍ଦ୍ର ସାହୁ ବିଭିନ୍ନ ସମୟରେ ଯୁବତୀଙ୍କୁ ଫୋନ କରି ହଇରାଣ କରୁଥିଲେ। ବାଟରେ ଦେଖିଲେ ଅଶ୍ଳୀଳ ଇଙ୍ଗିତ କରୁଥିଲେ । ଗତ ଅକ୍ଟୋବର ୧୮ ତାରିଖରେ ଯୁବତୀ ଜଣକ ଘରେ ଏକୁଟିଆ ଥିବା ସମୟରେ ସରପଞ୍ଚ ତାଙ୍କ ଘରକୁ ଯାଇ ତାଙ୍କୁ ଯୌନ ନିର୍ଯାତନା ଦେବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ।

ଯୁବତୀ ଜଣକ କୌଣସି ପ୍ରକାରେ ନିଜକୁ ବଞ୍ଚାଇ ଘର ବାହାରକୁ ପଳାଇ ଆସିବା ପରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଯୁବତୀ ଜଣକ ମଦନରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Comments are closed.