ଗୀତ ଗାଇଲେ ବିଧାୟକ ସୁର ରାଉତରାୟ
ଭୁବନେଶ୍ଵର: ପ୍ରଥମ ଥର ପାଇଁ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ। ତାହା ପୁଣି ରାପ୍| ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦେଶନାରେ ଆଜି କଟକର ମିଲନ ଷ୍ଟୁଡ଼ିଓରେ ଏହି ଗୀତ ରେକର୍ଡ କରାଯାଇଛି। ନିଜର ବେଫିକର ଅନ୍ଦାଜ, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ରାଉତରାୟ ଏ ଗୀତର କିଛି ରାପ ଅଂଶ ଗାଇଛନ୍ତି।
ଅରମାନ ମ୍ୟୁଜିକ ପ୍ରଯୋଜିତ ଏ ଗୀତଟିକୁ ଲେଖିଛନ୍ତି ତପୁ ନାୟକ। ସୁରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ।ଜନନାୟକମାନେ ଗାୟକ ଭୂମିକାରେ ଉପନୀତ ହେବା କିଛି ନୂଆ କଥା ନୁହେଁ।
ଶ୍ରୀ ରାଉତରାୟଙ୍କ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗୀତ ଗାଇ ଚର୍ଚ୍ଚାରେ ରହିସାରିଛନ୍ତି | ଏ ଗୀତର ଶୀର୍ଷକ ‘ରଙ୍ଗବତୀ.. ‘ ରଖାଯାଇଥିଲେ ମଧ୍ୟ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଲୋକଙ୍କ ପ୍ରିୟ ଓ ପସନ୍ଦର ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜଣାଶୁଣା ଜାପାନୀ ଭାଇ।
ବିଧାୟକ ରାଉତରାୟଙ୍କ ନିଷ୍ଠାପର ସେବା, ପରୋପକାରୀ ମନୋଭାବ ଓ ଲୋକଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ପାଇଁ ଲୋକେ ତାଙ୍କୁ ଯେପରି ଭଲପାଇବା ଦେଇ ଆସିଛନ୍ତି ଏ ଗୀତକୁ ମଧ୍ୟ ସେପରି ଭଲପାଇବା ଦେବେ ବୋଲି ଆଶା।
Comments are closed.