ମୁଣ୍ଡରେ ହେଲମେଟ୍ ପିନ୍ଧି ଶେଷକୃତ୍ୟ ସଂପନ୍ନ କଲେ ସଂପର୍କୀୟ
ଜୟପୁର: ନିଜ ଜୀବନକୁ ବଂଚାଇବାକୁ ଯାଇ ଶ୍ମଶାନରେ ଶବକୁ ଛାଡି ଏଣେ ତେଣେ ଧାଇଁଥିଲେ ଲୋକେ। ସେଠାରେ ଅଚାନକ ମହୁମାଛି ଆସି ଆକ୍ରମଣ କରିବାରୁ ଏହି ଘଟଣାଟି ଘଟିଥିଲା। ମହୁମାଛି ଆକ୍ରମଣରେ ୩୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇଥିଲେ। ପରେ ପରିବାରର ଅଳ୍ପ ସଦସ୍ୟ ଏଥିରେ ଭାଗ ନେଇ ମୁଣ୍ଡରେ ହେଲମେଟ ଓ ରେନକୋଟ ପିନ୍ଧି ଶେଷ କୃତ୍ୟ ସଂପନ୍ନ କରିଥିଲେ। ଏହି ଘଟଣାକୁ ନେଇ ଆଜି ଜୟପୁର ବ୍ଲକଓ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଅନୁସାରେ, କୋରାପୁଟ ଜିଲ୍ଲା ଜୟପୁର ବ୍ଲକର କେବିଡି ଗାଁରେ ଏପରି ଘଟଣାଟି ଘଟିଥିଲା । ଏହି ଗାଁର ବୃଦ୍ଧା ବୁଟକି ମୁଦୁଲିଙ୍କର ଆଜି ଭୋରରେ ମୃତ୍ୟୁ ହୋଇଥିଲା। ସଂପର୍କୀୟ ମାନେ କେବିଡି ପହଚିଂ ମରଶରୀରକୁ ଶେଷକୃତ୍ୟ ସଂପନ୍ନ କରିବାକୁ ଗାଁ ନିକଟସ୍ଥ ଶ୍ମଶାନକୁ ଯାଇଥିଲେ। ସେମାନେ ପାରମ୍ପରିକ ରିତୀନିତୀରେ ଶ୍ମଶାନରେ ଶେଷକୃତ୍ୟ କାମ ଆରମ୍ଭ କରିବା ପୂର୍ବରୁ ଅଚାନକ ଭାବେ ମହୁମାଛିମାନେ ଆକ୍ରମଣ କରିଦେଇଥିଲେ।
ଶ୍ମଶାନରେ ହିଁ ଶବକୁ ଛାଡି ଯିଏ ଯେଉଁ ଆଡେ ଚାହିଁଲା ଜୀବନ ବଂଚାଇବାକୁ ଧାଁଇବାକୁ ଲାଗିଥିଲେ।ଆହତମାନଙ୍କ ମଧ୍ୟରୁ କିଛି ରାବଣାଗୁଡା ସିଏଚସି ଓକିଛି ଜଣ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଗାଁର ମଧୁ ଜାନୀ, ରବି ଜାନୀ, ଗୁରୁ ମୁଦୁଲି, ତାପସ ଜାନୀ, ମକରନ୍ଦ ଜାନୀ, ବୁଟି ମୁଦୁଲିଙ୍କ ସମେତ ଅନ୍ୟ ମାନେ ଆହତ ହୋଇଥିଲେ। କିଛି ଜଣ ଆହତ ଅବସ୍ଥାରେ ଗାଁରେ ରହିଥିବା ସୂଚନା ମିଳିଛି।
ତେବେ ମହୁମାଛିର ଆକ୍ରମଣରୁ ଅଳ୍ପ କିଛି ଜଣ ବର୍ତ୍ତିଥିଲେ। ଏପରିକି ସକାଳ ୮ଟାରେ ନେଇଥିବା ଶବ ସାୟାହ୍ନ ସାଢ଼େ ୫ଟା ପର୍ଯ୍ୟନ୍ତ ସେଭଳି ପଡ଼ି ରହିଥିଲା। ସକାଳୁ ପ୍ରଥମେ ଗାଁ ଲୋକେ ଏବଂ ସଂପର୍କୀୟ ମାନେ ପ୍ରଥମେ ଚେଷ୍ଟା କରିଥିଲେ। ସେତେବେଳେ ପ୍ରାୟ ୫ଜଣଙ୍କୁ ମହୁମାଛି ଅକ୍ରମଣ କରିଥିଲା।
ପରେ ପୁଣି ଦ୍ବିପହରରେ ଦ୍ବିତୀୟ ଥର ଚେଷ୍ଟା କରିବାକୁ ଯାଇ ପ୍ରାୟ ୨୫ରୁ ଉର୍ଦ୍ଧ୍ବ ଜଣ ମହୁମାଛି କାମୁଡ଼ାର ଶିକାର ହୋଇ ଭୟଭୀତ ହୋଇ ପଡ଼ି ଶବକୁ ଛାଡି ପଳାଇ ଆସିଥିଲେ। ଏପରି ୩୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ। ଏନେଇ ବ୍ଲକ ପ୍ରଶାସନ ଓ ଜଙ୍ଗଲ ବିଭାଗ ଆଦିଙ୍କୁ ସୂଚନା ଦେବାରେ କେହି ବି ନିଜ ଅଧିନକୁ ମହୁମାଛି ଆସୁନଥିବା କହି ସେଠାକୁ ଯାଇ ନଥିଲେ।
Comments are closed.