ଝିଅକୁ ଜାଳିଲା ବାପା

ବଲାଙ୍ଗିର: ଝିଅକୁ ଜାଳିଦେଲା ପିଶାଚ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଡେବ୍ରିପାଲି ଗାଁରେ। ନିଜ ଝିଅକୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନିଆଁରେ ଜଳି ଗୁରୁତର ଅବସ୍ଥାରେ ନାବାଳିକା ସୂର୍ଯ୍ୟକାନ୍ତୀ ନାଗଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଘର ଭିତରୁ ସୁର୍ଯ୍ୟକାନ୍ତୀଙ୍କ ଚିତ୍କାର ଶୁଣି ଡେବ୍ରିପାଲି ଗାଁ ଲୋକେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସୂର୍ଯ୍ୟକାନ୍ତୀଙ୍କ ବାପା ଅରକ୍ଷିତ ନାଗ ହିଁ କିରାସିନି ଢାଳି ଝିଅକୁ ପୋଡ଼ି ଦେଇଥିବା ତାଙ୍କ ମାମୁ ବେଲପଡ଼ା ଥାନାରେ ଅଭିଯୋଗ କରିଛନ୍ତି।ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।
ପୀଡ଼ିତାଙ୍କ ମାମୁ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଅରକ୍ଷିତ ଦୁଇ ଥର ବିବାହ କରିଥିଲେ। ସୂର୍ଯ୍ୟକାନ୍ତୀ ହେଉଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ। ସେ ଛୋଟ ସମୟରୁ ମାମୁ ଘରେ ରହୁଥିଲେ। ଗତ କିଛି ମାସ ହେଲା ଗାଁରେ ବୈଠକ ପରେ ନିଜ ଘରକୁ ଫେରିଥିଲେ। କିନ୍ତୁ ଅରକ୍ଷିତ ଝିଅକୁ ଘରେ ରଖିବାକୁ ଚାହୁଁନଥିଲେ। ତେଣୁ ସେ ହିଁ ନିଜ ଝିଅକୁ ହତ୍ୟା ଉଦ୍ୟମ କରିଥିବା ନେଇ ମାମୁ ଘର ଲୋକେ ଅଭିଯୋଗ କରିଛନ୍ତି।
Comments are closed.