Odisha Link
Bridging the Missing Links in Odisha

୨୪ରେ ବାତ୍ୟାର ରୂପ ନେବ ‘ନିଭାର’

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଗତକାଲି ‘ନିଭାର’ ବାତ୍ୟା ରୂପ ନେବ ବୋଲି ଅନୁମାନ କରାଯାଉଛି। ଯାହା ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହାସହ ଆସନ୍ତା ୨୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସଷ୍ଟି ହୋଇ ୩୦ରେ ଲଘୁଚାପର ରୂପ ନେବ ବୋଲି ଅନୁମାନ କରାଯାଉଛି।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ମୁତାବକ, ସମ୍ଭାବ୍ୟ ‘ନିଭାର’ ବାତ୍ୟାର ସିଧା ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ। ସେହିପରି ପବନର ଆଶଙ୍କା ନାହିଁ। କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ଓ ବର୍ଷା ସହିତ ଶୀତ ମଧ୍ୟ କମିବ। ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ ବ୍ୟତୀତ ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରଭାବ ପଡିପାରେ।

ନଭେମ୍ବର ୨୬ ତାରିଖରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ। ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀରରେ ମଧ୍ୟମ ଧରଣର ବର୍ଷା ହେବ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଭାରୀ ବର୍ଷାର ସମ୍ଭାବନମା ରହିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳରେ ସ୍ୱଳ୍ପ ବର୍ଷା ଓ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷାର ହୋଇପାରେ। ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦୁଝର, ଦେବଗଡ଼ ଓ ବାଲେଶ୍ୱରରେ ହାଲୁକା ବର୍ଷା ହୋଇପାରେ। ତେବେ ୨୬ ଓ ୨୭ ତାରିଖରେ ତାପମାତ୍ରା କମିବା କାରଣରୁ ଅଧିକାଂଶ ଅଞ୍ଚଳରେ ପାଗ କୋହଲା ରହିବ। ୨୪ରୁ ଶୀତ କମି ୨୯ରେ ପୁଣି ଶୀତ ବଢ଼ିବ। ତେବେ ଡିସେମ୍ବର ୩ ଆଗରୁ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ସେ ପୂର୍ବାନୁମାନ କରିଛନ୍ତି।

Comments are closed.