ପରୀ ମୃତ୍ୟୁ ମାମଲା, ରୁଲିଂ ଦେଲେ ବାଚସ୍ପତି

ନୟାଗଡ଼: ନୟାଗଡ଼ର ପରୀ ମୃତ୍ୟୁ ମାମଲାରେ ରୁଲିଂ ଦେଲେ ବାଚସ୍ପତି। କାଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି। ୪ଟି ପ୍ରସଙ୍ଗରେ ବିବୃତି ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିଧାନସଭାରେ ପରୀ ମୃତ୍ୟୁ ମାମଲାରେ ବିରୋଧୀ ଦଳମାନେ ୪ଟି ପ୍ରସଙ୍ଗ ଉଠାଇଛନ୍ତି। ବାପା, ମା ସୁରକ୍ଷା ବଳୟ ଡେଇଁ ବିଧାନସଭା ସମ୍ମୁଖକୁ ଆସିଛନ୍ତି। ଡିଜେଲ ଧରି ସେମାନେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନୟାଗଡ଼ରେ ୩ ମାସ ହେଲା ମାମଲା ହୋଇଛି। ଘଟଣାରେ ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ନାଁ ମଧ୍ୟ ଅଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ୪ଟି ପ୍ରସଙ୍ଗରେ କାଲି ବିସ୍ତୃତ ଉତ୍ତର ଦେବେ।
ସୂଚନାଯୋଗ୍ୟ, ୫ ବର୍ଷର ଝିଅ ପରୀକୁ ହତ୍ୟା ମାମଲାରେ ଆଜି ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ନୟାଗଡ଼ର ଦମ୍ପତି। ଝିଅର ହତ୍ୟା ମାମଲାର ନ୍ୟାୟ ଭିକ୍ଷା କରି ହତାଶ ହେବା ପରେ ଶେଷରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ଦମ୍ପତି ଅଶୋକ ସାହୁ ଏବଂ ସୌଦାମିନି ସାହୁ।
ଦମ୍ପତି କହିଛନ୍ତି, ଆମ ଝିଅ ପରୀକୁ ମାରି ତା ଆଖି ଓ କିଡନୀ ତାଡ଼ି ନେଇଛନ୍ତି। ନ୍ୟାୟ ମାଗିବାରୁ ସେମାନଙ୍କୁ ଗାଁରୁ ବିଦା କରାଯାଉଛି। ଏହି ମାମଲାରେ ଜଣେ ମନ୍ତ୍ରୀଙ୍କ ପାଖ ଲୋକମାନେ ତାଙ୍କ ଝିଅକୁ ମାରି ଦେଇଥିବା ବାପା-ମା’ ଅଭିଯୋଗ କରିଛନ୍ତି।
Comments are closed.