ଭାରତର ସମ୍ବିଧାନ ସାରା ବିଶ୍ୱରେ ଗୁରୁତ୍ୱ ବହନ କରେ: ସମୀର

ଭୁବନେଶ୍ୱର : ଦେଶର ସମ୍ବିଧାନ ସର୍ବୋପରି। ସମ୍ବିଧାନ ଏବଂ ଆଇନକୁ ସରଳୀକରଣ କରି ସାଧାରଣ ଲୋକ ବୁଝିଲା ପରି କରିବାର ଆବଶ୍ୟକତା ରହିଛି। ସବୁ ନାଗରିକ ଭାରତୀୟ ସମ୍ବିଧାନକୁ ପଢିବା ଏବଂ ବୁଝିବା ଦରକାର। ନିଜର କର୍ତବ୍ୟ ନିଷ୍ଠାପର ଭାବେ ପାଳନ କଲେ ଅଧିକାର ଆପେ ଆପେ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନ ଦିବସ ଅବସରରେ କାର୍ଯକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଉଦବୋଧନକୁ ଦଳୀୟ ନେତୃବୃନ୍ଦ ଶୁଣିବା ସହ ଏହାକୁ କାର୍ଯ୍ୟରେ ରୂପାନ୍ତରିତ କରିବେ ବୋଲି ସଂକଳ୍ପ ନେଇଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା । ବାବା ସାହେବଙ୍କ ଫଟୋରେ ଦଳୀୟ ନେତୃବୃନ୍ଦ ମାଲ୍ୟାର୍ପଣ କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ । ଭାରତର ସମ୍ବିଧାନର ବିଶ୍ୱରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ।
ଭାରତର ସମ୍ବିଧାନ ବିଶ୍ୱର ସବୁଠୁ ବଡ ଲିଖିତ ସମ୍ବିଧାନ ଏବଂ ସାରା ବିଶ୍ୱରେ ଗୁରୁତ୍ୱ ବହନ କରେ । ଭାରତର ସମସ୍ତ ନାଗରିକଙ୍କୁ ସମାନ ଅଧିକାର, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ମହିଳା କିଭଳି ମୌଳିକ ଅଧିକାରରୁ ବଂଚିତ ନହେବେ ତାହାକୁ ସମ୍ବିଧାନରେ ବିଧି ବ୍ୟବସ୍ଥାରେ ଆମ୍ବେଦକର ସ୍ଥାନିତ କରିଛନ୍ତି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବିଧାନ ସଭା କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉପସଭାପତି ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସମାନ୍ତସିଂହାର, ମୁଖପାତ୍ର ବିରଂଚୀ ନାରାୟଣ ତ୍ରିପାଠୀ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସମେତ ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ପ୍ରମୁଖ ସାମିଲ ଥିଲେ ।
ଆଜି ସକାଳେ ଏଜି ଛକଠାରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ରାଜ୍ୟ ବିଜେପି ପକ୍ଷରୁ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଜେପି ବିଧାୟକ ଗଣ ଏବଂ ଦଳୀୟ ପଦାଧିକାରୀଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ସେହିପରି ରାଜ୍ୟର ୧ ହଜାରରୁ ଉର୍ଦ୍ଧ୍ୱ ସ୍ଥାନରେ ସମ୍ବିଧାନ ଦିବସ ଆୟୋଜିତ କରାଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
Comments are closed.