ଜୈବଗ୍ୟାସ କ୍ଷେତ୍ରରେ ନୂଆ ଜ୍ଞାନକୌଶଳ ଆଣିବା ପାଇଁ ଯୁବ ଉଦ୍ୟମୀ ମାନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କର୍ଣ୍ଣାଟକର ବାଗଲକୋଟ ଜିଲ୍ଲା ଜାମଖଣ୍ଡି ଠାରେ ଲିଫନିଟି ବାୟୋଏନର୍ଜି’ର ଆଖୁଛେଦାରୁ ଉତ୍ପାଦନ ହେବାକୁ ଥିବା ସିବିଜି (କମ୍ପ୍ରେସଡ୍ ବାୟୋ ଗ୍ୟାସ)ପ୍ଲାଂଟର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଯୁବ ଉଦ୍ୟମୀ ମାନଙ୍କୁ ଜୈବଗ୍ୟାସ କ୍ଷେତ୍ରରେ ନୂଆ ଜ୍ଞାନକୌଶଳ ଆଣିବା ପାଇଁ ଆହ୍ୱାନ କରଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ସରକାର ସ୍ୱଚ୍ଛ ଏବଂ ନିରନ୍ତର ଉର୍ଜା ଯୋଗାଇବା ପାଇଁ ସର୍ବଦା କାର୍ଯ୍ୟରତ। ପ୍ରତିଷ୍ଠା ହେବାକୁ ଥିବା ଏହି ସିବିଜି ପ୍ଲାଂଟ ପାଇଁ ପ୍ରାୟ ୪୨ କୋଟି ଖର୍ଚ୍ଚ ହେବ। ଏହି ପ୍ଲାଣ୍ଟରୁ ଦୈନିକ ୨୦୦ ଟନ୍ ଆଖୁ ଛେଦା ବ୍ୟବହାର କରାଯାଇ ଦୈନିକ ୧୦.୨ ଟନ ସିବିଜି ଉତ୍ପାଦନ କରାଯିବ। ପ୍ରାଜ୍ ଇଣ୍ଡଷ୍ଟ୍ରି ଏବଂ ଡ଼ିଭିଓ ଆଇଏନସି ଏହି ପ୍ରସ୍ତାବିତ ପ୍ଲାଂଟ ପାଇଁ ଆବଶ୍ୟକୀୟ ଟେକ୍ନୋଲଜି ଯୋଗାଇ ଦେବେ।
ଶ୍ରୀ ପ୍ରଧାନ କହିଛନ୍ତି ସିବିଜିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ସତତ୍ କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ କୃଷି ବର୍ଜ୍ୟ ଏବଂ ସହରର ଆବର୍ଜନାରୁ ଗ୍ୟାସ ଉତ୍ପାଦନ କରାଯାଉଛି। ଏହି ପଦକ୍ଷେପ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ସହାୟକ ହେବ। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଦାୟିତ୍ୱବାନ ବିଶ୍ୱ ନେତୃତ୍ୱ ଭାବରେ ସ୍ଥାୟୀ ତଥା ଜଳବାୟୁ ପରିବର୍ତନ ହ୍ରାସ ପାଇଁ ଭାରତର ପ୍ରତିବଦ୍ଧତା ଦିଗରେ କାମ କରୁଛନ୍ତି। ଆମେ ପ୍ରତ୍ୟେକ କାର୍ଯ୍ୟରେ କିପରି ସ୍ୱଚ୍ଛ ମାର୍ଗ ହାସଲ କରିପାରିବା, ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରିବା ଦରକାର।
ଏହି ଅବସରରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ ଦିଲ୍ଲୀର ରାଣିଖେରା ଠାରେ ଆବର୍ଜନାରୁ ଉର୍ଜା ପ୍ଲାଂଟ ପାଇଁ ଗତକାଲି ଉତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନନ ସହ ଆଇଓସିଏଲ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଏହି ପ୍ଲାଂଟ ୨୫୦୦ ମେଟ୍ରିକ ଟନ୍ ଆବର୍ଜନାରୁ ସିବିଜି ଉତ୍ପାଦନ କରିବ। ସେହିପରି ସିବିଜି ପ୍ଲାଂଟ ସ୍ଥାପନା ପାଇଁ ୬୦୦ ଏଲଓଆଇ ଜାରୀ ହୋଇଛି।
ଆବର୍ଜନାରୁ ଅର୍ଥ କମାଇବା, ଆବର୍ଜନା ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ କାରଣରୁ ସମାଜକୁ ନିଶ୍ଚିତ ଉପକୃତ ହେବ। ନିକଟରେ ସତତ୍ କାର୍ଯ୍ୟକ୍ରମ ଅଧୀନରେ ଦେଶରେ ୯୦୦ ସିବିଜି ପ୍ଲାଂଟ ପ୍ରତିଷ୍ଠା କରିବା ପାଇଁ ଦେଶର ଅଗ୍ରଣୀ ଉର୍ଜା କମ୍ପାନୀ ଓ ସିବିଜି କ୍ଷେତ୍ରରେ ଟେକ୍ନୋଲୋଜି ଯୋଗାଇ ଦେବା ପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଏମଓୟୁ ସ୍ୱାକ୍ଷରିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
Comments are closed.