ଆକାଶଙ୍କ ସହ ଅରୂପ ମଧ୍ୟ ଚାର୍ଟର ପ୍ଲେନରେ ଉଡ଼ିଥିଲେ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ। ତେବେ ପାଠକ ବାପା ପୁଅଙ୍କ ସମ୍ପର୍କକୁ ନେଇ ବିବାଦରେ ଥିବା ଶ୍ରୀ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଆଜି ବିଜେଡିର ଜଣେ ନେତାଙ୍କୁ ଟାର୍ଗେଟ କରିଛନ୍ତି। ସୁଜାତା କହିଛନ୍ତି, ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ସହ ଚାର୍ଟର ପ୍ଲେନରେ ଉଡ଼ିଥିଲେ ଓଡ଼ିଶା ମୋ ପରିବାର ମୁଖ୍ୟ ତଥା ବିଜେଡି ନେତା ଅରୂପ ପଟ୍ଟନାୟକ।
ଶ୍ରୀମତୀ ପାଣିଗ୍ରାହୀ କହିଛନ୍ତି ଯେ, ଜୁଲାଇ ୧୧ ତାରିଖ ଦିନ ଆକାଶଙ୍କ ସହ ଅରୂପ ପଟ୍ଟନାୟକ ଚାର୍ଟରରେ ଯାଇଥିଲେ। ଭୁବନେଶ୍ୱରରୁ ପୁନେ ପର୍ଯ୍ୟନ୍ତ ସମସ୍ତେ ଏକାଠି ଯାତ୍ରା କରିଥିଲେ। ପୁନେରୁ ମୁମ୍ବାଇ ଉକ୍ତ ଚାର୍ଟର ପ୍ଲେନରେ ଅରୂପ ଏକା ଯାଇଥିଲେ। ଆମେ ଚାର୍ଟର ପ୍ଲେନରେ ଗଲୁ, ତାହା ହେଲା ଜନବିରୋଧୀ। ଅରୂପ ପଟ୍ଟନାୟକ ଗଲେ, ସେ କ’ଣ ଜନବିରୋଧୀ ନୁହନ୍ତି ବୋଲି ଶ୍ରୀମତୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ସେ ସରକାରରେ ଅଛନ୍ତି ବୋଲି ଜନବିରୋଧୀ ନୁହନ୍ତି କି ବୋଲି ଶ୍ରୀମତୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ସରକାରରୁ ବାହାରିଗଲା ଆମେ ଜନବିରୋଧୀ ହୋଇଗଲୁ ବୋଲି କି ସେ ପ୍ରଶ୍ନ କରିଛନ୍ତି। ତେବେ ସୁଜାତା ପାଣିଗ୍ରାହୀଙ୍କ ଅଭିଯୋଗ ନେଇ ଅରୂପ ପଟ୍ଟନାୟକଙ୍କ ପ୍ରତିକ୍ରୟା ମିଳିପାରିନାହିଁ।
ପ୍ରକାଶ ଯେ, ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କୃତ କରାଯାଇଛି। ପାଠକ ବାପା ପୁଅଙ୍କ ସମ୍ପର୍କକୁ ନେଇ ବିବାଦରେ ଥିବା ଶ୍ରୀ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କରାଯାଇଛି।
Comments are closed.