ପାଠକ ବାପ-ପୁଅ ଆକାଉଣ୍ଟରୁ ୧୪ କୋଟି, ଦାଖଲ ହୋଇନି ଆୟକର ରିଟର୍ଣ୍ଣ
![](https://www.odishalink.com/wp-content/uploads/2020/11/pathak-father-son.jpg)
ଭୁବନେଶ୍ୱର: କୋଟି କୋଟି ଟଙ୍କାର ଠକେଇ କରି ନିଜ ବ୍ୟାଙ୍କ ଆକାଉଣ୍ଟ ଭରୁଥିଲେ ପାଠକ ବାପ-ପୁଅ। ପାଠକ ବାପ-ପୁଅ ଆକାଉଣ୍ଟ ଖୋଳତାଡ଼ ପରେ ଭିଜିଲାନ୍ସ ହାତରେ ଲାଗିଛି ବଡ ପ୍ରମାଣ। ନିଲମ୍ବିତ IFS ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ICICI ଓ HDFC ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା ଏହି ନେଣଦେଣରେ ଆୟକର ଦିଆ ଯାଇନାହିଁ।
୯ କୋଟି ୪୮ ଲକ୍ଷ ଟଙ୍କାର ବଡ଼ ଅର୍ଥ ଆକାଉଣ୍ଟରେ ସିଧାସଳଖ ଜମା ହୋଇଥିବା ବେଳେ ୫ କୋଟି ୨୯ ଲକ୍ଷ ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି। ଏହିପରି ଭାବେ ଆକାଶଙ୍କ ଆକାଉଣ୍ଟରେ ମୋଟ ଜମା ହୋଇଛି ୧୪ କୋଟି ୭୭ ଲକ୍ଷ ଟଙ୍କା। ବିପୁଳ ଟଙ୍କା ଜମା ହୋଇଥିଲେ ବି ଟଙ୍କାଟିଏ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି ନିଜକୁ ଟାଟା ମୋଟର୍ସ ଏମଡି ବୋଲାଉଥିବା ଆକାଶ ପାଠକ। ରେଡ୍ ବେଳେ ଏନେଇ ଭିଜିଲାନ୍ସ ଜାଣିବାକୁ ପାଇଛି।
ଏହାକୁ ନେଇ ଭିଜିଲାନ୍ସ ସନ୍ଦେହ କରିବା ସହ ଏଥିରେ ସନ୍ଦିଗ୍ଧ ଓ ବେନାମୀ କାରବାର ହୋଇଥିବା ଅନୁମାନ କରିଛି। ଏଭଳି ସନ୍ଦିଗ୍ଧ କାରବାରର ତଦନ୍ତ ଇନକମ ଟ୍ୟାକ୍ସ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ପରିସରଭୁକ୍ତ। ତେଣୁ, ଭିଜିଲାନ୍ସ ଏହି ମାମଲାରେ ମନି ଲଣ୍ଡରିଂ ଓ ଆୟକର ଦାଖଲର ତଦନ୍ତ ଲାଗି ଇନକମ୍ ଟ୍ୟାକ୍ସ ଓ ଇଡିକୁ ସୁପାରିସ୍ କରିଛି। ଘରୋଇ ବ୍ୟାଙ୍କରେ ବିପୁଳ ଅର୍ଥ ଜମା ନେଇ ୩ ବ୍ୟାଙ୍କର ଅଧିକାରୀଙ୍କୁ SIT ପଚରାଉଚରା କରୁଛି।
ଏତେ ପରିମାଣର ଟଙ୍କା କାରବାର ଆକାଶଙ୍କ ଆକାଉଣ୍ଟରେ ହୋଇଥିବା ବେଳେ ଜମି ବିକି ଟଙ୍କା ଜମା କରିଥିବା ଜେରା ବେଳେ ଅଭୟକାନ୍ତ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ମାତ୍ର ଅଭୟକାନ୍ତଙ୍କ ନାଁରେ କୌଣସି ଜମି ନଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ। ଗିରଫ ବାପ-ପୁଅଙ୍କୁ SIT ଆଜିଠୁ ତିନିଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଜେରାରୁ ଅଭୟଙ୍କ ଅମାପ ସମ୍ପତ୍ତିର ଆହୁରି ଗୁମର ଖୋଲିବ ବୋଲି ଆଶା ରଖିଛି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ।
Comments are closed.