ଫିଟୁଛି ଆକାଶଙ୍କ ଠକେଇ ପେଡ଼ି, ଆକାଉଣ୍ଟରୁ ମିଳିଲାଣି ୧୭.୫୨ କୋଟି ଟଙ୍କା

ଭୁବନେଶ୍ୱର: ଫିଟୁଛି ଆକାଶଙ୍କ ଠକେଇ ପେଡ଼ି। ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଲୋକଙ୍କୁ ଠକିଥିବା ଆକାଶ ପାଠକଙ୍କ ଆକାଉଣ୍ଟର ଚାଲିଛି ଖୋଳତାଡ଼। ଖୋଳତାଡ଼ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଆଉ ୧.୪୭ କୋଟି ଟଙ୍କାର ପ୍ରମାଣ। ଆକାଶ ପାଠକଙ୍କ ପୁନେ ଓ ଭୁବନେଶ୍ୱରରେ ଥିବା ୩ଗୋଟି ଆକାଉଣ୍ଟରେ ଜମା ହୋଇଛି ଆୟ ବହିର୍ଭୂତ ଅର୍ଥ। ଏଥିସହ ଆକାଶଙ୍କ ଆକାଉଣ୍ଟରେ ମୋଟ ୧୭.୫୨ କୋଟି ଟଙ୍କା ଜମା ହୋଇଥିବା ନେଇ ଜଣାପଡ଼ିଛି।
ମନି ଲଣ୍ଡ୍ରିଂ ଓ ଆୟକର ରିଟର୍ଣ୍ଣ ଦାଖଲ ଦିଗ ଉପରେ ତଦନ୍ତ କରିବ ଇଡି ଓ ଆୟକର ବିଭାଗ। ସେପଟେ ଅର୍ଥ କାରବାରର ତଦନ୍ତ ଲାଗି ଭିଜିଲାନ୍ସ ଠକ ପାଠକ ବାପ-ପୁଅଙ୍କ ଦସ୍ତଖତ ସଂଗ୍ରହ କରିଛି। ବ୍ୟାଙ୍କରେ ହୋଇଥିବା କାରବାର ସହ ଏହି ଦସ୍ତଖତକୁ ମିଳାଯିବ। ଏଥିସହ ଭିଜିଲାନ୍ସ CCTV ଫୁଟେଜ୍ ଏବଂ ଅନ୍ୟ କାଗଜପତ୍ର ଜବତ କରି ଛାନଭିନ୍ ଚଳାଇଛି। SITରେ ରିମାଣ୍ଡରେ ଥିବା ଆକାଶ ପାଠକ ଜେରା ବେଳେ ସତ ଉଗାଳିଛନ୍ତି। ଟାଟା ମୋଟର୍ସର କୌଣସି ପଦବୀରେ ସେ ଚାକିରି କରିନଥିବା କହିଛନ୍ତି।
ଆଜି ରିମାଣ୍ଡର ଦ୍ୱିତୀୟ ଦିନର ଜେରା ବେଳେ ଆକାଶ ପାଠକ ବଡ଼ ଖୁଲାସା କରିଛନ୍ତି। ସେ ଟାଟା ମୋଟର୍ସରେ ଚାକିରି କରି ନ ଥିବା ନେଇ ଭିଜିଲାନ୍ସର ଜେରା ବେଳେ ସ୍ୱୀକାର କରିଛନ୍ତି । ଏହା ସହ ସଂପର୍କୀୟଙ୍କ ସହ ଚାର୍ଟର ଫ୍ଲାଇଟରେ ବିଦେଶ ଭ୍ରମଣ କରିଥିବା ମଧ୍ୟ ମାନିଛନ୍ତି ଆକାଶ । ହେଲେ, ଆକାଉଂଟକୁ କେଉଁଠୁ କୋଟି କୋଟି ଟଙ୍କା ଆସିଲା, କିଏ ପଠେଇଲା ସେ ନେଇ ମତ ବଦଳାଉଛନ୍ତି ଆକାଶ ପାଠକ। ୩ ଦିନିଆ ରିମାଣ୍ଡରେ ନେଇ ପାଠକ ବାପ-ପୁଅଙ୍କୁ ଘନଘନ ଜେରା କରୁଛି ଭିଜିଲାନ୍ସ ଏସଆଇଟି।
Comments are closed.