ଡିସେମ୍ବର ୧୦ରେ ଭଦ୍ରକ ସହର ବନ୍ଦ

ଭଦ୍ରକ: ୧୦ ଡିସେମ୍ବର ଭଦ୍ରକ ସହର ବନ୍ଦ। ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଭଦ୍ରକ କଂଗ୍ରେସ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି।
ଭଦ୍ରକ ଜିଲ୍ଲା ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ପାଇଁ ଭଦ୍ରକ ଜିଲ୍ଲାର ମୁଖ୍ୟ ଦାବୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀକୁ ବହୁଦିନ ଧରି ଅଣଦେଖା କରାଯାଇଛି। ଦାବୀକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଭଦ୍ରକ ଜିଲ୍ଲା କଂଗ୍ରେସ ୧୦ ଡିସେମ୍ବର ଦିନ ଭଦ୍ରକ ସହରକୁ ୧୨ ଘଣ୍ଟିଆ ବନ୍ଦ କରିବାକୁ ନିଷ୍ପତି ନେଇଛି ବୋଲି ଆଜି ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ କୁମାର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି କହିଛନ୍ତି ଯେ, ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଏବେ ପୂରା ଅସୁସ୍ଥ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପୂରା ଠପ୍। ଭଦ୍ରକ ଜିଲ୍ଲାର ଡାକ୍ତରଖାନାକୁ ଗୁଡିକୁ ଆବଶ୍ୟକ ସଂଖ୍ୟକ ଡାକ୍ତର ଆଣିବାରେ ସରକାର ଓ ଶାସକ ଦଳର ନେତା ବିଫଳ। ଭଦ୍ରକ ମେଡିକାଲରେ ଭେଣ୍ଟିଲେଟର ଥିଲେ ମଧ୍ୟ ତାହା କାର୍ଯ୍ୟ କରୁନାହିଁ। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ ଶ୍ରୀ ମହାନ୍ତି ଦାବି କରିଥିଲେ।
କୋଭିଡ଼ ପରିଚାଳନାରେ ବିଫଳ ହେବା ସହିତ ପ୍ରଶାସନ ଓ ଶାସକ ମିଳିତ ଭାବରେ କୋଟି କୋଟି ଟଙ୍କା ଲୁଟ କରିଛନ୍ତି। ଆଜି ସୁଦ୍ଧା କେତେ ଟଙ୍କା କୋଭିଡ଼ରେ ଭଦ୍ରକ ଜିଲ୍ଲା ପାଇଁ ଖର୍ଚ୍ଚ କରାଯାଇଛି ଓ କେଉଁ ସବୁ ବାବଦରେ ଖର୍ଚ୍ଚ ହୋଇଛି ତାହା ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଶାସନ ଶ୍ୱେତପତ୍ର ଜାରି କରୁ ବୋଲି ସମ୍ମିଳନୀରେ କୁହାଯାଇଛି। ଉପରୋକ୍ତ ଦାବୀକୁ ନେଇ ଆଗାମୀ ୧୦ ତାରିଖ ଭଦ୍ରକ ସହର ବନ୍ଦ ରଖାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆ ଯାଇଛି।
Comments are closed.