ଆସନ୍ତା ୧୦ରେ ନୂତନ ସଂସଦ ଗୃହର ଭୂମିପୂଜା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୦ ତାରିଖରେ ନୂତନ ସଂସଦଗୃହ ପାଇଁ ଭୂମିପୂଜା କରିବେ। ଏନେଇ ସୂଚନା ଦେଇଛନ୍ତି ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟ ହେବା ପରେ ଏକ ଜାତୀୟ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ଶ୍ରୀ ବିର୍ଲା ।
ସୂଚନା ଅନୁସାରେ ନୂଆ ସଂସଦ ଭବନ ନିର୍ମାଣ କରିବାର ଠିକା ଟାଟା ପ୍ରୋଜେକ୍ଟ ଲିମିଟେଡକୁ ମିଳିଛି। ପାଖାପାଖି ୯୬୧.୯୦ କୋଟି ଟଙ୍କା ବିନିଯୋଗରେ ଏହି ଗୃହର ନିର୍ମାଣ କରାଯିବ। ଏହି କୋଠା ବର୍ତମାନ ଥିବା ସଂସଦଭବନ ପାଖାପାଖି ଅଞ୍ଚଳରେ ନିର୍ମାଣ କରାଯିବ। ଏହି ଗୃହ ନିର୍ମାଣ କରିବାକୁ ଆନୁମାନିକ ୨୧ ମାସ ଲାଗିବ ବୋଲି ନିର୍ମାଣକାରୀ ସଂସ୍ଥା ଟାଟା ପ୍ରୋଜେକ୍ଟ ପକ୍ଷରୁ କୁହାଯାଇଛି।
ଏହି ଗୃହ ନିର୍ମାଣ ସରିବା ପରେ ଏକ ସମୟରେ ୧୩୫୦ ଜଣ ସାଂସଦ ବସିପାରିବେ ବୋଲି କୁହାଯାଇଛି। କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗର ସୂଚନା ମୁତାବକ ଏହି ନୂତନ ସଂସଦ ଗୃହର ଆକାର ୬୫ ହଜାର ବର୍ଗମିଟର ହେବ। ଯାହା ମଧ୍ୟରେ ୧୬,୯୨୧ ବର୍ଗମିଟର ଅଞ୍ଚଳ ଭୂତଳରେ ରହିବ। ଏହାସହ ସମ୍ପୁର୍ଣ୍ଣ କୋଠାଟି ଗ୍ରାଉଣ୍ଡଫ୍ଲୋରକୁ ମିଶାଇ ଉପରକୁ ୨ ମହଲା ନିର୍ମାଣ କରାଯିବ।
ଏହାସହ ଏହି କୋଠାରେ ଅନ୍ୟ କୋଠା ଭଳି ୪ କୋଣ ପରିବର୍ତ୍ତେ ୩ ଟି କୋଣ ବା ତ୍ରିକୋଣୀୟ ହେବ। ଏହି କୋଠାରେ ସୂର୍ଯ୍ୟାଲୋକ ପଡିଲେ ଜାତୀୟ ପତାକାରେ ଥିବା ୩ଟି ରଙ୍ଗ ପ୍ରସ୍ପୁଟିତ ହେବ।ସଂସଦଗୃହ ମଧ୍ୟରେ ସାଂସଦମାନେ ବସିବାକୁ ବେସ୍ ଆରାମ ଦାୟକ ବ୍ୟବସ୍ଥା କରାଯିବ। ଯେମିତି କି ଗୋଟିଏ ବେଞ୍ଚର ଲମ୍ବ ଅତିକମ୍ ରେ ୨ ମିଟର ହେବ।
ହେଲେ ଏବେ ପ୍ରସ୍ତାବିତ କୋଠାର କିଛି ଅଦଳ ବଦଳ ହୋଇପାରେ ବୋଲି ଆଶା କରାଯାଉଛି। ଯେମିତି କି କୋଠା ପରିସରରେ ପ୍ରଧାନମନ୍ତ୍ରୀଙ୍କ ଆବାସ ରହିବ କି ନାହିଁ ? ଏହାସହ ଉପରାଷ୍ଟ୍ରପତିଙ୍କ ଭବନ ନର୍ଥ ବ୍ଲକ ପାଖକୁ ସ୍ଥାନାନ୍ତର ହେବାର ବି କାର୍ଯ୍ୟକ୍ରମ ରହିଛି।
Comments are closed.