କ୍ଷମା ମାଗିଲେ ବଲିଉଡ୍ ଅଭିନେତା ସୈଫ୍

ମୁମ୍ବାଇ: ନିଜ ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲି ଖାନ୍। ସେ ସୀତା ହରଣ ଓ ରାମ-ରାବଣ ଯୁଦ୍ଧକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ସୋଶାଲ୍ ମିଡିଆରେ ଜୋରଦାର୍ ଟ୍ରୋଲର ଶିକାର ହୋଇଥିଲେ। ସୈଫ୍ ଏକ ସାକ୍ଷାତକାରରେ ନିଜର ଆଗାମୀ ସିନେମା ‘ଆଦିପୁରୁଷ’ ବିଷୟରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।
ସୈଫ୍ କହିଛନ୍ତି, ଏକ ସାକ୍ଷାତକାରରେ ମୁଁ ଯେଉଁ ମନ୍ତବ୍ୟ ଦେଇଥିଲି, ତାହା ଏତେ ବିବାଦୀୟ ଏବଂ ଲୋକଙ୍କ ଭାବନାକୁ ଆଘାତ ଦେବ ବୋଲି ଭାବିନଥିଲି। ମୋର କହିବାର ଉଦ୍ଦେଶ୍ୟ ସେଭଳି କିଛି ନଥିଲା।
ତେଣୁ ମୁଁ ସମସ୍ତଙ୍କୁ ଏଥିପାଇଁ କ୍ଷମା ମାଗୁଛି ଏବଂ ସେହି ବୟାନକୁ ପ୍ରତ୍ୟାହାର କରୁଛି। ଭଗବାନ ରାମ ସର୍ବଦା ମୋ ପାଇଁ ଧାର୍ମିକ ଏବଂ ବୀରତ୍ୱର ପ୍ରତୀକ ରହିଆସିଛନ୍ତି। ସିନେମା ‘ଆଦିପୁରୁଷ’ ଅଧର୍ମ ଉପରେ ଧର୍ମର ବିଜୟ ଉପରେ ଆଧାରିତ। ଆମର ପୂରା ଟିମ୍ ଏହି ମହାନ କାମକୁ ପରଦାରେ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି।
ତେବେ ସୈଫ୍ କହିଥିଲେ,ଯେ ରାବଣ ଦ୍ୱାରା ସୀତା ହରଣ ନ୍ୟାୟୋଚିତ ଥିଲା, କାରଣ ଲକ୍ଷ୍ମଣ ରାବଣଙ୍କ ଭଉଣୀ ସୁର୍ପନଖାର ନାକ କାଟିଦେଇଥିଲେ। ଯାହା ପରେ ଆରମ୍ଭ ହୋଇଯାଇଥିଲା ବିବାଦ।
‘ଆଦିପୁରୁଷ’ରେ ସୈଫ୍ ଓ ସାଉଥ୍ ଷ୍ଟାର୍ ପ୍ରଭାସ ଏକାଠି ନଜର ଆସିବେ। ଏହି ସିନେମଟିକୁ ଓମ୍ ରାଉତଙ୍କ ନିର୍ଦ୍ଦେଶନା ଦେଇଛନ୍ତି। ସିନେମାଟି ହିନ୍ଦୀ ଓ ତେଲୁଗୁରେ ଶୁଟିଂ କରାଯିବ।
ଏହି ୩ଡି ସିନେମାକୁ ପରେ ତାମିଲ୍, ମଲାୟଲମ୍ ଓ କନ୍ନଡ଼ ସମେତ ଅନ୍ୟାନ୍ୟ ଭାଷାରେ ଡବ୍ କରାଯିବ। ସିନେମାର ଶୁଟିଂ ୨୦୨୧ରୁ ଆରମ୍ଭ ହେବ। ଏହି ସିନେମା ୨୦୨୨, ଅଗଷ୍ଟ ୧୧ ତାରିଖରେ ରିଲିଜ୍ କରାଯିବ ବୋଲି ଘୋଷଣା ହୋଇଛି।
Comments are closed.