୫ଜି ଭାରତରେ ଦ୍ୱିତୀୟ ଶିଳ୍ପ ବିପ୍ଲବର ନେତୃତ୍ୱ ନେବ: ମୋଦି

ନୂଆଦିଲ୍ଲୀ: ତିନି ବର୍ଷ ମଧ୍ୟରେ ପ୍ରତି ଗାଁରେ ‘ହାଇ-ସ୍ପିଡ୍ ଫାଇବର୍ ଅପ୍ଟିକ୍ ଡାଟା’ ସଂଯୋଗ କରାଯିବ। ଏନେଇ ମଙ୍ଗଳବାର ଦିନ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ‘ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ୍ ୨୦୨୦’ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଉଦ୍ଘାଟନୀ ଭାଷଣରେ ପ୍ରଧାନମନ୍ତ୍ରୀ ଭାରତର ଡିଜିଟାଲ୍ ଟେକ୍ନୋଲୋଜି ଉପରେ ଗୁରୁତ୍ବାରୋପ କରି କହିଲେ ଯେ, ମୋବାଇଲ୍ ନିର୍ମାଣ ନିମନ୍ତେ ଭାରତ ଦୁନିଆର ସବୁଠୁ ଅଧିକ ପସନ୍ଦଯୋଗ୍ୟ ସ୍ଥାନ ହେବାକୁ ଯାଉଛି।
ମୋଦି ଆହୁରି କହିଛନ୍ତି ଯେ, ଭବିଷ୍ୟତରେ ଠିକ୍ ସମୟରେ ୫ଜି ପ୍ରଚଳନ କରି ନିୟୁତ ନିୟୁତ ଭାରତୀୟଙ୍କୁ ସଶକ୍ତ କରିବା ନିମନ୍ତେ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ମୋବାଇଲ୍ ଟେକ୍ନୋଲୋଜି ବଳରେ ହିଁ ଆମେ କୋଟି କୋଟି ଭାରତୀୟଙ୍କୁ କୋଟି କୋଟି ଡଲାର୍ ଯୋଗାଇ ଦେଇ ପାରୁଛନ୍ତି। ମୋବାଇଲ୍ ଟେକ୍ନୋଲୋଜି ବଳରେ ହିଁ ଆମେ ମହାମାରୀ ସମୟରେ ଗରିବ ଏବଂ ବିପଦଗ୍ରସ୍ତମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ପାରିଛନ୍ତି। ଚାଲନ୍ତୁ, ଭାରତକୁ ଟେଲିକମ୍ ଉପକରଣ, ଡିଜାଇନ୍, ଉନ୍ନତିକରଣ ଏବଂ ନିର୍ମାଣର ବୈଶ୍ବିକ ହବ୍ ପାଇଁ ସମସ୍ତେ କାର୍ଯ୍ୟ କରିବା।
ମୋଦି କହିଛନ୍ତି ଯେ, ଭାରତରେ ‘ଆପ୍ଲିକେସନ୍ ମାର୍କେଟ୍’ର ଦ୍ରୁତ ଅଭିବୃଦ୍ଧି ଘଟୁଥିବା ବେଳେ ମୋବାଇଲ୍ ‘ତାରିଫ୍’ ମଧ୍ୟ ସବୁଠୁ କମ୍ ରହିଛି। ପ୍ରଯୁକ୍ତିବିଦ୍ୟାର ଉନ୍ନତିକରଣ ଯୋଗୁଁ ସବୁବେଳେ ହ୍ୟାଣ୍ଡ୍ସେଟ୍ ଓ ଗ୍ୟାଜେଟ୍ ପରିବର୍ତ୍ତନ କରିବା ଆମ ସଂସ୍କୃତି ପାଲଟି ଗଲାଣି। ଇଲେକ୍ଟ୍ରୋନିକ୍ ଆବର୍ଜନା ପରିଚାଳନା କରି ସେଥିରୁ ଅର୍ଥନୀତି ସୃଷ୍ଟି କରିବା ନିମନ୍ତେ ନୂଆ ଉପାୟ ଚିନ୍ତା କରିବାକୁ ମୋବାଇଲ୍ ଶିଳ୍ପ ଏକ ଟାସ୍କ୍-ଫୋର୍ସ ଗଠନ କରି ପାରିବ କି ବୋଲି ସେ ପ୍ରଶ୍ନ କରିଥିଲେ।
ତେବେ ୨୦୨୧ ମସିହାର ମଧ୍ୟଭାଗରେ ଭାରତରେ ୫ଜି ଉପଲବ୍ଧ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏହା ପ୍ରକାଶ କରିଛନ୍ତି।
Comments are closed.