ଶେୟାର ବଜାରରେ ବୃଦ୍ଧି, ସର୍ବୋଚ୍ଚ ସ୍ଥାନରେ ସେନ୍ସେକ୍ସ ଏବଂ ନିଫ୍ଟି
ମୁମ୍ବାଇ: ବୁଧବାର ସପ୍ତାହର ୩ୟ କାରବାର ଦିବସରେ ଶେୟାର ବଜାରରେ ବୃଦ୍ଧି ଘଟିଛି। ଆଜି ଉଭୟେ ସେନ୍ସେକ୍ସ ଏବଂ ନିଫ୍ଟି ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛନ୍ତି। ଦ୍ବିପ୍ରହର ୧ଟା ୫୧ ମିନିଟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ୪୨୬.୬୫ ଅଙ୍କ(୦.୯୪%) ବୃଦ୍ଧି ପାଇ ୪୬୦୩୫.୧୬ ସ୍ତରରେ ପହଞ୍ଚିଥିଲା।
ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୧୮.୭୫ ଅଙ୍କ(୦.୮୯%) ବୃଦ୍ଧି ପାଇ ୧୩୫୧୧.୭ ସ୍ତରରେ ରହିଥିଲା। ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ସମେତ କରୋନା ଟିକାକୁ ନେଇ ସକରାତ୍ମକ ଖବର ଏବଂ ଆମେରିକାର ଆଉ ଏକ ପ୍ରୋତ୍ସାହନ ପ୍ୟାକେଜ୍ ସମ୍ପର୍କିତ ଖବର ଯୋଗୁ ଶେୟାର ବଜାରରେ ବୃଦ୍ଧି ଘଟିଥିବା ସୂଚନା ମିଳିଛି।
ବୁଧବାର ସକାଳେ ଶେୟାର ବଜାର ଖୋଲିବା ପରେ ସେନ୍ସେକ୍ସ ୨୫୪.୪୮ ପଏଣ୍ଟ(୦.୫୬%) ବୃଦ୍ଧି ପାଇ ୪୫୮୬୨.୯୯ ସ୍ତରରେ ପହଞ୍ଚିଥିଲା। ଅନ୍ୟପଟେ ନିଫ୍ଟି ଆରମ୍ଭରୁ ୭୪.୬ ଅଙ୍କ(୦.୫୬%) ଦ୍ରୁତ ବୃଦ୍ଧି ସହିତ ୧୩୪୬୭.୬ ସ୍ତରରେ ପହଞ୍ଚିଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଟିସିଏସ ଏବଂ ଇନ୍ଫୋସିସ୍ ଭଳି ବଡ଼ ବଡ଼ ଅଂଶୀଦାର ଶେୟାର ବଜାରକୁ ଅଧିକ ମଜଭୁତ କରିଥିଲେ।
ସୂଚନା ଅନୁସାରେ, ଗତ ମାର୍ଚ୍ଚରେ ସେନ୍ସେକ୍ସ ସର୍ବନିମ୍ନ ସ୍ତରରେ ପହଞ୍ଚିବା ପରେ ଅକ୍ଟୋବର ୮ରେ ଏହା ୪୦,୦୦୦ ଅଙ୍କ ଟପି ୪୦୧୮୨ ସ୍ତରରେ ପହଞ୍ଚିଥିଲା। ଏହା ପରେ ନଭେମ୍ବର ୫ରେ ସେନ୍ସେକ୍ସ ୪୧,୩୪୦ ସ୍ତରରେ ବନ୍ଦ ହୋଇଥିଲା। ୧୦ ନଭେମ୍ବରରେ ସେନ୍ସେକ୍ସ ୪୩,୨୨୭ରେ ପହଞ୍ଚିଲା। ନଭେମ୍ବର ୧୮ରେ ୪୪,୧୮୦ ଏବଂ ଡିସେମ୍ବର ୪ରେ ସେନ୍ସେକ୍ସ ୪୫,୦୦୦ ଅଙ୍କ ଟପିଥିଲା।
Comments are closed.