ଅସୁରକ୍ଷିତ ମାନବିକ ଅଧିକାର
ମାନବିକ ଅଧିକାର କହିଲେ ଯେଉଁ ଅଧିକାର ପ୍ରତ୍ୟେକ ମାନବ ଉପଭୋଗ କରିଥାନ୍ତି ଓ ଯାହା ପ୍ରତ୍ୟେକଙ୍କ ନିମିତ୍ତ ସୁରକ୍ଷିତ ରହିଥାଏ। ସଭ୍ୟତାର ଉନ୍ନତି ଓ ସମାଜରେ ସୁସ୍ଥ ସହାବସ୍ଥାନ ନିମିତ୍ତ ପ୍ରତ୍ୟେକ ବ୍ୟକ୍ତି ପାଇଁ ଅଧିକାର ଅପରିହାର୍ଯ୍ୟ। ଇତିହାସକୁ ଦୃଷ୍ଟି ଦେଲେ ଏହା ସ୍ପଷ୍ଟ ଜାଣି ହୁଏ ଯେ, ମନୁଷ୍ୟର ଅଧିକାର ଓ ସ୍ୱାଧୀନତା ଯେବେ କ୍ଷୁଣ୍ଣ ହୁଏ, ସେ ବିଦ୍ରୋହୀ ହୋଇଉଠେ। ପରିଣାମରେ ବିଦ୍ରୋହାଗ୍ନି ପ୍ରଜ୍ୱଳିତ ହେବା ଅବଶ୍ୟମ୍ଭାବୀ ହୋଇପଡ଼େ। ଏ ଦୃଷ୍ଟିରୁ ମାନବକୁ ଯଥୋଚିତ ମର୍ଯ୍ୟାଦା ଦେବା କେବଳ ମାନବିକ ଅଧିକାର ମାଧ୍ୟମରେ ସମ୍ଭବ। ମାନବ ଜାତିର ଇତିହାସରେ ପ୍ରଥମ ବିଶ୍ୱଯୁଦ୍ଧ ହେଉଛି ସବୁଠାରୁ ଭୟାବହ ଓ ବର୍ବର। ଏହି ଯୁଦ୍ଧ ୧୯୧୪ରୁ ଆରମ୍ଭ ହୋଇ ଦୀର୍ଘ ଚାରିବର୍ଷ ବିଶ୍ୱରେ ମୃତୁ୍ୟର ତାଣ୍ଡବ ରଚନା କରିଥିଲା ଓ ମାନବ ସଭ୍ୟତାର ଅଶେଷ କ୍ଷତି କରିଥିଲା। ହେଲେ ପ୍ରଥମ ବିଶ୍ୱଯୁଦ୍ଧରୁ ବିଶ୍ୱବାସୀ କିଛି ଶିକ୍ଷା କରିପାରିନଥିଲେ, ଯେଉଁଥିପାଇଁ ଏହାର କୋଡ଼ିଏ ବର୍ଷ ପରେ ଅର୍ଥାତ ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି ନରସଂହାରକାରୀ ଯୁଦ୍ଧକୁ ବିଶ୍ୱ ସାମନା କରିବାକୁ ପଡ଼ିଲା। ଦୁଇ ଦୁଇଟା ବିଶ୍ୱଯୁଦ୍ଧରେ ବିଶ୍ୱବାସୀ ଆତଙ୍କିତ ହୋଇ ପଡ଼ିଲେ। ବିଶ୍ୱରେ କିପରି ଶାନ୍ତି ଓ ସହାବସ୍ଥାନ ପ୍ରତିଷ୍ଠିତ ହୋଇପାରିବ ଓ ମାନବ ଜୀବନ କିଭଳି ସୁରକ୍ଷିତ ହେବ, ସେଥିପାଇଁ ସଂଯୁକ୍ତ ରାଷ୍ଟ୍ର ସଂଘର ସୃଷ୍ଟି ହେଲା। ରାଷ୍ଟ୍ର ସଂଘ ଦ୍ୱାରା ‘ସନନ୍ଦ’ରେ ମାନବାଧିକାରକୁ ସମଗ୍ର ବିଶ୍ୱରେ ମୌଳିକ ଅଧିକାର ରୂପେ ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ୧୯୪୮ ମସିହା ଡିସେମ୍ବର ମାସ ୧୦ ତାରିଖ ଦିନ ସଂଯୁକ୍ତ ରାଷ୍ଟ୍ର ସଂଘର ସାଧାରଣ ଅଧିବେଶନରେ ‘ସାର୍ବଜନୀନ ମାନବାଧିକାର ଘୋଷଣାନାମା’କୁ ସ୍ଥାନିତ କରିବା ସହ ସ୍ୱୀକୃତି ଦିଆଗଲା। ଉକ୍ତ ଘୋଷଣାନାମାର ଫଳସ୍ୱରୂପ ବିଶ୍ୱବାସୀ ବାକ୍ ସ୍ୱାଧୀନତା, ଭୟମୁକ୍ତ ଜୀବନ ସହ ଦାରିଦ୍ର୍ୟ ଦୂରୀକରଣ ଭଳି ଅନେକ ମୂଲ୍ୟବାନ୍ ମାନବ ସପକ୍ଷବାଦୀ ଅଧିକାର ଉପଭୋଗ କରିବାକୁ ସକ୍ଷମ ହେଲେ। ‘ମାନବିକ ଅଧିକାର’ଭଳି ଏକ ମାନବିକ ମୂଲ୍ୟବୋଧର ସଂରକ୍ଷଣକୁ ଗୁରୁତ୍ୱ ଦେଇ ଡିସେମ୍ବର ୧୦ତାରିଖକୁ ବିଶ୍ୱବାସୀ ‘ବିଶ୍ୱମାନବିକ ଅଧିକାର ଦିବସ’ରୂପେ ପାଳିତ କରିଆସୁଛନ୍ତି।
ବିଶ୍ୱ ମାନବିକ ଅଧିକାର ଦିବସ ଘୋଷଣାର ୧୮ ବର୍ଷ ପରେ ଅର୍ଥାତ୍ ୧୯୬୬ ଡିସେମ୍ବର ୧୬ରେ ସଂଯୁକ୍ତ ରାଷ୍ଟ୍ରସଂଘର ‘ସାଧାରଣ ସଭା’ରେ ମାନବ ଅଧିକାର ଆଇନାନୁମୋଦିତ ହେଲା। ଆଇନ୍ର ମର୍ଯ୍ୟାଦା ଲାଭ କରିବାର ୧୦ ବର୍ଷ ପରେ ଅର୍ଥାତ୍ ୧୯୭୬ ମସିହା ଜାନୁଆରୀ ୩ ତାରିଖରେ ଏହା କାର୍ଯ୍ୟକାରୀ ହୋଇଥିଲା। ଜାତିସଂଘ ପକ୍ଷରୁ ପ୍ରସ୍ତୁତ ମାନବିକ ଅଧିକାର ବିଷୟକ ସାର୍ବଜନୀନ ଘୋଷଣାପତ୍ର ମାନବ ଅଧିକାର ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ। ପ୍ରଥମତଃ ନାଗରିକ ଓ ରାଜନୈତିକ ଅଧିକାର, ଦ୍ୱିତୀୟରେ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର। ଜାତିସଂଘର ସାଧାରଣ ମହାସଭାରେ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ବିଷୟକ ଆନ୍ତର୍ଜାତିକ ପ୍ରତିଜ୍ଞାପତ୍ର ୧୯୬୬ ଡିସେମ୍ବର ୧୬ ତାରିଖରେ ଗୃହୀତ ହୋଇଥିଲା। ଉକ୍ତ ପ୍ରତିଜ୍ଞାପତ୍ରର ପ୍ରସ୍ତାବନାରେ ଦର୍ଶାଯାଇଥିଲା ଯେ, ‘ମାନବ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଅନ୍ତର୍ନିହିତ ମର୍ଯ୍ୟାଦା ଏବଂ ସମାନ ଓ ଅଭିନ୍ନ ଅଧିକାରଗୁଡ଼ିକର ଯଥାଯଥ ସ୍ୱୀକୃତି ହିଁ ସ୍ୱାଧୀନତା, ନ୍ୟାୟ ଓ ଶାନ୍ତିର ଭିତ୍ତିଭୂମି। ସାର୍ବଜନୀନ ଘୋଷଣାପତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ନିଜର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ତଥା ନାଗରିକ ଓ ରାଜନୈତିକ ଅଧିକାରଗୁଡ଼ିକୁ ଉପଭୋଗ କରିବା ଭଳି ପରିବେଶ ସୃଷ୍ଟି ହେବ। ତେବେ ପ୍ରତ୍ୟେକ ମନୁଷ୍ୟ ଭୟ ଓ ଅଭାବରୁ ମୁକ୍ତ ହୋଇ ସ୍ୱାଧୀନତା ଉପଭୋଗ କରିବାରେ ସମର୍ଥ ହେବେ। ମାନବ ଅଧିକାରଗୁଡ଼ିକ ହେଉଛି ‘ସକଳ ଜନସାଧାରଣ ଓ ସକଳ ରାଷ୍ଟ୍ରଙ୍କ ସାଫଲ୍ୟ’ସାଧାରଣ ମାନଦଣ୍ଡ ମାନବ ପରିବାରର ସମସ୍ତ ସଦସ୍ୟଙ୍କ ଅନ୍ତର୍ନିହିତ ମର୍ଯ୍ୟାଦା ଓ ଅଭିନ୍ନ ସ୍ୱୀକୃତି ହେଉଛି ବିଶ୍ୱର ସ୍ୱାଧୀନତା, ନ୍ୟାୟ ଓ ଶାନ୍ତିର ଭିତ୍ତି। ପ୍ରତ୍ୟେକ ବ୍ୟକ୍ତି ଜନ୍ମରୁ ମୁକ୍ତ ଏବଂ ମର୍ଯ୍ୟାଦା ଓ ଅଧିକାର କ୍ଷେତ୍ରରେ ସମାନ। ପ୍ରତ୍ୟେକଙ୍କ ନିଜସ୍ୱ ବିଚାର ବୁଦ୍ଧି ଓ ହିତାହିତ ଜ୍ଞାନ ରହିଛି ଏବଂ ପ୍ରତ୍ୟେକ ପରସ୍ପର ସହ ଭ୍ରାତୃତ୍ୱ ଭାବ ନେଇ କାର୍ଯ୍ୟ କରିବା ଉଚିତ୍। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା, ପଦମର୍ଯ୍ୟାଦା ନିର୍ବିଶେଷରେ ସକଳ ଅଧିକାର ଓ ସ୍ୱାଧୀନତା ହେଉଛି ପ୍ରତ୍ୟେକ ମାନବର ଏକାନ୍ତ ପ୍ରାପ୍ୟ। ପ୍ରତ୍ୟେକ ବ୍ୟକ୍ତିର ବଂଚି ରହିବା, ସ୍ୱାଧୀନତା ପାଇବା ଓ ବ୍ୟକ୍ତିଗତ ନିରାପତ୍ତା ଲାଭ କରିବାର ଅଧିକାର ରହିଛି। କୌଣସି ବ୍ୟକ୍ତିଙ୍କୁ ତାଙ୍କ ନାଗରିକତ୍ୱ ପରିବର୍ତ୍ତନ କରିବା ଅଧିକାରରୁ ବଂଚିତ କରାଯିବ ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କର ଚିନ୍ତା ବିବେକ ଓ ଧର୍ମ ସ୍ୱାଧୀନତାର ଅଧିକାର ଅଛି। ମତାମତ ଓ ଭାବପ୍ରକାଶ ସ୍ୱାଧୀନତାର ଅଧିକାର ସମସ୍ତଙ୍କର ରହିଛି।
ସାମ୍ପ୍ରତିକ ବିଶ୍ୱରେ ଓ ବିଗତ ଦଶନ୍ଧିଗୁଡ଼ିକରେ ମାନବ ଅଧିକାର ସମ୍ପର୍କରେ ଦୃଷ୍ଟିପାତ କଲେ ଏହା ସ୍ପଷ୍ଟ ହୁଏ ଯେ ଏହା ମୁଖ୍ୟତଃ ତିନୋଟି କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଛି। ପ୍ରଥମତଃ ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କ ଅଧିକାରକୁ ସୁରକ୍ଷିତ ରଖିବା ସହ ଗଣହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ କରିବା। ସମ୍ପ୍ରତି ଖାଦ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ସୁସ୍ଥ ପରିବେଶ ପ୍ରତି ଗୁରୁତ୍ୱାରୋପ କରାଯାଉଛି। ଦ୍ୱିତୀୟରେ ମାନବାଧିକାର ସୁରକ୍ଷା ନିମିତ୍ତ ନୂତନ ଆଇନ୍ ବ୍ୟାଖ୍ୟା ଓ ଅନୁଷ୍ଠାନର ସୃଷ୍ଟି ପ୍ରତି ଧ୍ୟାନ ଦିଆଯାଉଅଛି। ସେହିପରି ତୃତୀୟରେ ବିଭିନ୍ନ ସ୍ବେଚ୍ଛାସେବୀମାନଙ୍କ ଜରିଆରେ ମାନବାଧିକାର ସୁରକ୍ଷା ପ୍ରତି ଧ୍ୟାନ ତଥା ଦୃଷ୍ଟିପାତ। ମାନବାଧିକାରର ସୁରକ୍ଷା କ୍ଷେତ୍ରରେ ‘ହୁ୍ୟମାନ୍ ରାଇଟ୍ ୱାଚ୍’ ଓ ‘ଆମ୍ନେଷ୍ଟି ଇଣ୍ଟର ନ୍ୟାସନାଲ୍’ର ଭୂମିକା ଉଲ୍ଲେଖଯୋଗ୍ୟ। ମାନବିକ ଅଧିକାରକୁ ସାଧାରଣତଃ ମୁଖ୍ୟ ତିନିଭାଗରେ ବିଭକ୍ତ କରାଯାଇଅଛି। ପ୍ରଥମେ ସମାଜର ବ୍ୟକ୍ତିକୁ ଉପଯୁକ୍ତ ରାଜନୈତିକ ଓ ସାମାଜିକ ଅଧିକାରକୁ ନିଶ୍ଚିତ କରାଇବା ସହ ମାନବର କିଛି ସ୍ୱତନ୍ତ୍ରତା ଉପରେ ସରକାର ହସ୍ତକ୍ଷେପ ନକରିବା। ଦ୍ୱିତୀୟରେ ବ୍ୟକ୍ତିକୁ ଯେଉଁ ସାମାଜିକ ଓ ରାଜନୈତିକ ସ୍ୱାଧୀନତା ମିଳିଲା, ତାହା ଏକ ପ୍ରକାର ଅର୍ଥହୀନ ବୋଲି ମନେ ହେଲା। ତେଣୁ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାରକୁ ଏଥିସହ ସଂଯୁକ୍ତ ବା ଯୋଡ଼ି ଦିଆଗଲା। ତୃତୀୟରେ ରାଷ୍ଟ୍ରର ସମ୍ପଦ ଉପରେ ଜନସାଧାରଣଙ୍କ ସାର୍ବଭୌମ ଅଧିକାର ରହିବା ସହ ଅନଗ୍ରସର ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଓ ଆତ୍ମନିର୍ଣ୍ଣୟ ଅଧିକାର ରହିଲା। ମାନବ ନିମିତ୍ତ ସୁରକ୍ଷିତ ମାନବାଧିକାରର ମୁଖ୍ୟ ତିନୋଟି ଲକ୍ଷଣ ରହିଛି। ସର୍ବପ୍ରଥମେ ମାନବାଧିକାରର ସାର୍ବଜନୀନ, ଦେଶ, ସମାଜ, ସଂସ୍କୃତି ଓ ସମ୍ପ୍ରଦାୟ ନିର୍ବିଶେଷରେ ମାନବାଧିକାର ସବୁଠାରେ ଏକାଭଳି। ସର୍ବତ୍ର ଅଧିକାର ଗୁଡ଼ିକ ସମାନ ପରିମାଣରେ ମୂଲ୍ୟବାନ। ଦ୍ୱିତୀୟ ଲକ୍ଷଣଟି ହେଲା ମାନବ ଅଧିକାର ସର୍ବଦା ‘ବ୍ୟକ୍ତିକୈନ୍ଦ୍ରିକ’ ଅର୍ଥାତ୍ ମାନବ ହିଁ ଅଧିକାରର କେନ୍ଦ୍ରବିନ୍ଦୁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମାନବାଧିକାର ଉପଭୋଗ କରିଥାଆନ୍ତି। ତୃତୀୟ ଲକ୍ଷଣଟି ହେଲା ଗଣତନ୍ତ୍ର ଓ ବିକାଶ। ମାନବ ସର୍ବଦା ଗଣତନ୍ତ୍ର ଦ୍ୱାରା ନିଜକୁ ପରିଚାଳିତ କରିବା ସହ ବିକାଶକୁ ହିଁ ଏହାର ମୂଳମନ୍ତ୍ର ରୂପେ ଗ୍ରହଣ କରିବା। ଆମ ଦେଶରେ ମାନବାଧିକାରର ସୁରକ୍ଷା ପାଇଁ ୧୯୯୩ରେ ‘ମାନବ ଅଧିକାରର ସୁରକ୍ଷା ଆଇନ୍’ ପ୍ରଣୟନ କରାଗଲା। ଏହାକୁ ଆମ ସମ୍ବିଧାନର ୫୧ ଓ ଭିଏନା ସମ୍ମିଳନୀର ସନନ୍ଦ ଅନୁଯାୟୀ କାର୍ଯ୍ୟକାରୀ କରାଯାଉଛି।
ଭାରତବର୍ଷରେ ୧୯୯୩ ମସିହା ସେପେଫମ୍ବର ମାସ ୧୯ ତାରିଖ ଦିନ ଜାତୀୟ ମାନବାଧିକାର କମିସନ୍ ଗଠିତ ହୋଇଛି। ମାନବାଧିକାରର ସୁରକ୍ଷା ନିମିତ୍ତ କୋର୍ଟ ମଧ୍ୟ ଗଠିତ ହୋଇଛି। ଯେଉଁ କ୍ଷେତ୍ରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥାଏ ତତ୍ ସମ୍ପର୍କିତ ଅଭିଯୋଗ ତଦନ୍ତ କରିବା ମାନବାଧିକାରର ସୁରକ୍ଷା ନିମିତ୍ତ ପଦେକ୍ଷପଗୁଡ଼ିକୁ ପରୀକ୍ଷା ସହ ବିହିତ ପଦକ୍ଷେପ ପାଇଁ ସୁପାରିସ୍ କରିବା, ଜେଲ୍ରେ କଏଦୀମାନଙ୍କ ଅବସ୍ଥାରେ ସୁଧାର ଆଣିବା ପାଇଁ ଜେଲ୍ ପରିଦର୍ଶନ କରିବା, ମାନବାଧିକାର ସମ୍ପର୍କିତ ଗବେଷଣାକୁ ପ୍ରୋତ୍ସାହିତ କରିବା ସହ ବିଭିନ୍ନ ସମାଜସେବୀ ଅନୁଷ୍ଠାନକୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ହେଉଛି ମାନବାଧିକାର ସୁରକ୍ଷା କୋର୍ଟର ମୁଖ୍ୟ କାର୍ଯ୍ୟ। ସାମ୍ପ୍ରତିକ ସାମାଜିକ ସ୍ଥିତିକୁ ଦୃଷ୍ଟି ଦେଲେ ମାନବାଧିକାର ସୁରକ୍ଷା ଯେଭଳି ହେବା କଥା ସେଥିରେ କିଛି ବାଧକ ସୃଷ୍ଟି ହେଉଛି। ବ୍ୟକ୍ତିର ମୌଳିକ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ଯଥାର୍ଥରେ ସାମ୍ପ୍ରଦାୟିକତା ଏକ ଧର୍ମନିରପେକ୍ଷ ରାଷ୍ଟ୍ରର ପ୍ରଧାନ ଶତ୍ରୁ। ତେଣୁ ଏହାର ଦୂରୀକରଣ ନହେବା ଯାଏଁ ଯଥାର୍ଥ ମାନବାଧିକାରର ସଂରକ୍ଷଣ ଅସମ୍ଭବ। ମାନବିକ ଅଧିକାର ଏକ ଜନ୍ମଗତ ଅଧିକାର। ଏ ଦୃଷ୍ଟିରୁ ବିଶ୍ୱରେ ପ୍ରାଚୀନ କାଳରୁ ମନୁଷ୍ୟ କିଛି ନା କିଛି ଅଧିକାର ଉପଭୋଗ କରିଆସୁଛି। ଭାରତର ମହାନ ଗ୍ରନ୍ଥମାନଙ୍କରେ ପ୍ରଜାମାନଙ୍କର ସ୍ୱାଧୀନତା, ପଦମର୍ଯ୍ୟାଦା ଆଦି ସମ୍ପର୍କର ସବିଶେଷ ଉଲ୍ଲେଖ ରହିଛି। ୧୨୧୫ରେ ଇଂଲଣ୍ଡର ମାଗ୍ନାକାର୍ଟ ମାଧ୍ୟମରେ ଇଂଲଣ୍ଡର ସାମନ୍ତମାନଙ୍କୁ ସ୍ୱତନ୍ତ୍ର ଅଧିକାର ଓ ସୁରକ୍ଷା ପ୍ରଦାନ କରାଯାଇଥିଲା। ୧୭୮୯ରେ ଫରାସୀ ବିପ୍ଳବ ଦ୍ୱାରା ଉକ୍ତ ବର୍ଷ ଜୁଲାଇ ୧୪ରେ ପ୍ୟାରିସ୍ର ଜନସାଧାରଣ ସରକାରୀ କାରାଗାର ବାଷ୍ଟିଲ୍ ଦୁର୍ଗ ଆକ୍ରମଣ କରି ଫ୍ରାନ୍ସ ସ୍ବେଚ୍ଛାଚାରିତା ଓ ପୁରାତନ ଶାସନର ପତ୍ତନ ଘଟାଇଥିଲେ। ପରେ ପରେ ୧୭୮୯ ଅଗଷ୍ଟ ୨୬ରେ ଫ୍ରାନ୍ସର ରାଷ୍ଟ୍ରୀୟ ପରିଷଦ ନୂତନ ପ୍ରସ୍ତାବନାରେ ବ୍ୟକ୍ତି ଓ ନାଗରିକଙ୍କ ଅଧିକାର ବିଷୟକ ଘୋଷଣାପତ୍ର ଗ୍ରହଣ କରିଥିଲେ। ସେହିପରି ଆମେରିକା ସ୍ୱାଧୀନତା ସଂଗ୍ରାମ ୧୭୭୬ର ପ୍ରଭାବରେ ମାନବିକ ଅଧିକାରଗୁଡ଼ିକୁ ସ୍ଥାନିତ କରିବାକୁ ବାଧ୍ୟ ହୋଇଥିଲା । ଏଥିରୁ ବିଶ୍ୱ ମାନବିକ ଅଧିକାର, ଐତିହ୍ୟର ସ୍ପଷ୍ଟ ଚିତ୍ର ମିଳିଥାଏ। ଆମ ଦେଶ ହେଉଛି ପୃଥିବୀର ଏକ ସର୍ବବୃହତ୍ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର। ଏହାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ତୁଳନା ନାହିଁ। ଆମ ପରମ୍ପରା ସର୍ବଦା ଉଚ୍ଚ ମୂଲ୍ୟବୋଧ ଉପରେ ଆଧାରିତ। ସମଗ୍ର ମାନବ ସମାଜ ଏକ ପରିବାର ଭଳି ‘ବସୁଧୈବ କୁଟୁମ୍ବକମ୍’ ଓ ‘ସର୍ବେ ଭବନ୍ତୁ ସୁଖୀନଃ’ ହେଉଛି ଆମ ସଂସ୍କୃତିର ମହାମନ୍ତ୍ର। ଏ ଦୃଷ୍ଟିରୁ ଭାରତୀୟ ଧର୍ମ, ସଂସ୍କୃତି ଓ ପରମ୍ପରା ଯୁଗେଯୁଗେ ମାନବବାଦର ଉଦ୍ଘୋଷଣା କରିଆସିଛି। ମାନବିକ ଅଧିକାର ସୁରକ୍ଷିତ ହୋଇପାରିଲେ ମାନବବାଦର ସ୍ୱର ବିଶ୍ୱରେ ଝଙ୍କୃତ ହୋଇ ବିଶ୍ୱକୁ ମଧୁମୟ କରି ଗଢ଼ିତୋଳିବ, ଏଥିରେ ସନ୍ଦେହର ଅବକାଶ ନାହିଁ।
ପରିଶେଷରେ ଏତିକି କୁହାଯାଇପାରିବ, ବ୍ୟକ୍ତିର ଅଧିକାର ଉଲ୍ଲଘଂନ କରିବା ଆଇନ ସମ୍ମତ ନୁହେଁ। ମଣିଷ ଭିତରେ ଶିକ୍ଷାର ବିକାଶ ତଥା ନିଜ ଅଧିକାର ସମ୍ବନ୍ଧରେ ସଚେତନତା ସୃଷ୍ଟି ହୋଇପାରିଲେ ମାନବିକ ଅଧିକାର ସଂପୂର୍ଣ୍ଣ ଭାବେ ସୁରକ୍ଷିତ ହୋଇପାରିବ। ସେଥିପାଇଁ ମାର୍ଟନ୍ ଲୁଥର କିଙ୍ଗ୍ 1960ରେ କହିଥିଲେ, “Injustice anywhere is a threat to justice everywhere”। ବିଶ୍ବ ମାନବିକ ଅଧିକାର ଦିବସ ପାଳନ ଅବସରରେ ଏହା ହିଁ ହେଉ ଅନୁଚିନ୍ତା।
ଗଡଅଣ୍ଢିଆ, ନିମାପଡ଼ା, ମୋ- 7879524054
Comments are closed.