ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଇସ୍ତଫା ଦେଲେ ଡିଆଇଜି
ଚଣ୍ଡୀଗଡ଼: ନୂଆ କୃଷି ଆଇନକୁ ନେଇ ଜାରି ରହିଛି ବିରୋଧ ପ୍ରଦର୍ଶନ। ଏହାରି ଭିତରେ ପଞ୍ଜାବର ଡିଆଇଜି (ଜେଲ୍) ଲଖବିନ୍ଦର ସିଂହ ଜାଖର ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟର ଗୃହ ସଚିବଙ୍କୁ ଇସ୍ତଫା ଦେଇଛନ୍ତି। ଜାଖରର ଗୃହ ସଚିବଙ୍କୁ ପତ୍ର ଲେଖି ଲଖବିନ୍ଦର ସମୟ ପୂର୍ବରୁ ରିଟାୟରମେଣ୍ଟ ନେବା କଥା କହିଛନ୍ତି।
ସେ କହିଛନ୍ତି, କୃଷି ଆଇନକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ମୋର ପୂର୍ଣ୍ଣ ସମର୍ଥନ ରହିଛି। ଏଥିପାଇଁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଦୁର୍ନୀତି ଅଭିଯୋଗରେ ଲଖବିନ୍ଦର ବର୍ତ୍ତମାନ ସସପେଣ୍ଡ ଅଛନ୍ତି। କିଛି ମାସ ତଳେ ଜେଲ୍ ଅଧିକାରୀଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଥିଲା। ସରକାରଙ୍କ ତରଫରୁ ତାଙ୍କର ଇସ୍ତଫା ପତ୍ରକୁ ସ୍ୱୀକାର କରାଯାଇନଥିବା ସୂଚନା ମିଳିଛି।
Punjab DIG(Prisons) Lakhminder Singh Jakhar writes to State Principal Secy Home requesting 'to be treated as prematurely retired from service'; says "I'd like to inform you of my considered decision to stand with my farmer brothers who're peacefully protesting against Farm laws."
— ANI (@ANI) December 13, 2020
ସୂଚନାଯୋଗ୍ୟ, ନୂଆ କୃଷି ଆଇନକୁ ନେଇ ପଞ୍ଜାବରେ ଚାଷୀଙ୍କ ପ୍ରଦର୍ଶନକୁ ଲୋକଙ୍କର ଭରପୂର ସମର୍ଥନ ମିଳିଛି। କ୍ରୀଡ଼ା ଜଗତଠାରୁ ଆରମ୍ଭ କରି ସାହିତ୍ୟ, କିଛି ରାଜନେତା ମଧ୍ୟ ଚାଷୀଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ହକି ଟିମର ପୂର୍ବତନ କ୍ୟାପଟେନ୍ ପର୍ଗତ ସିଂହଙ୍କ ସମେତ ଅଧିକ ଖେଳାଳି ନିଜର ସମ୍ମାନ ଫେରାଇବା ପାଇଁ ଚେତାବନୀ ଦେଇଛନ୍ତି।
Comments are closed.