ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନକୁ କ୍ୟାବିନେଟ ମଞ୍ଜୁରୀ ପ୍ରନାନ କରାଯାଇଛି। ଲିଙ୍ଗରାଜ ମନ୍ଦିର ପରିଚାଳନା ଏକ କମିଟିକୁ ଦେବା ପାଇଁ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।
ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବେ ବ୍ୟବସ୍ଥା ହୋଇଛି। ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଓ କ୍ଷମତା, ପରିଚାଳକଙ୍କର କ୍ଷମତା ଓ ଦାୟିତ୍ୱ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ପରିଚାଳନା, ସେବକମାନଙ୍କର ଭୂମିକା ଓ ଦାୟିତ୍ୱ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଇତ୍ୟାଦି ସାମିଲ ଅଛି। ଏହା ମଧ୍ୟ ମନ୍ଦିରର ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକଗୁଡ଼ିଏ ପ୍ରସ୍ତାବ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେହେତୁ ବିଧାନସଭା ଏବେ ମୁଲତବୀ ଅଛି ତେଣୁ ଅଧ୍ୟାଦେଶ ଜରିଆରେ ଲିଙ୍ଗରାଜ ମନ୍ଦିର ଆଇନର ବ୍ୟବସ୍ଥା କରାଯାଇଛି। ଶ୍ରଲିଙ୍ଗରାଜ ମନ୍ଦିର, ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟପାରଗୁଡ଼ିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରିବା ନିମନ୍ତେ ଏକ ଅଧ୍ୟାଦେଶକୁ ଆଜି କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। କ୍ୟାବିନେଟ ବୈଠକରେ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ସମେତ ପୂର୍ତ୍ତ ବିଭାଗର ୨ଟି ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।
Comments are closed.