ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ
ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଧନୁ ସଂକ୍ରାନ୍ତି ଅବସରରେ ଆଜିଠୁ ଏକମାସ ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି। ପ୍ରତ୍ୟୁଷରୁ ଠାକୁରଙ୍କ ପହିଲି ଭୋଗ ନୀତି ହେବ।
ଧନୁ ସଂକ୍ରାନ୍ତି ଠାରୁ ଆସନ୍ତା ୧୪ ମକର ସଂକ୍ରାନ୍ତି ଯାଏଁ ପହିଲି ଭୋଗ ନୀତି ପାଳନ କରାଯିବ। କିମ୍ବଦନ୍ତୀ ଅନୁସାରେ, ମା ଲକ୍ଷ୍ମୀ ଏହି ସମୟରେ ବାପଘରକୁ ଯାଇଥିବାରୁ ଯଶୋଦା ଅତି ଆଗ୍ରହର ସହ ଶ୍ରୀକୃଷ୍ଣଙ୍କ ପାଇଁ ସ୍ୱାଦିଷ୍ଟ ପିଠା ତିଆରି କରି ପରସି ଦେଇଥାନ୍ତି। ଏହି ନୀତିକୁ ସ୍ମରଣ କରାଯାଇ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ପାଳନ କରାଯାଉଛି।
ପହିଲି ଭୋଗରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରଖି ନୀତିକାନ୍ତି ଶୃଙ୍ଖଳିତ କରିବାକୁ ନିଷ୍ପତି ହୋଇଛି । ଏହି ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ଅନୁଷ୍ଠାନ ଓ ଘରେ ଘରେ ପହିଲି ଭୋଗ ହେବାର ପରମ୍ପରା ରହିଆସିଛି।
Comments are closed.