ଭିଜିଲାନ୍ସ ଜାଲରେ ୩ ଯନ୍ତ୍ରୀ
ନବରଙ୍ଗପୁର: ଆଦିବାସୀ ଉନ୍ନୟନ ସଂସ୍ଥାର ୩ଜଣ ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କର ନିକଟରୁ ୩ଲକ୍ଷ ୯ହଜାର ୪୦୦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ଆଇଟିଡିଏର ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ ସମେତ ଦୁଇ ସହକାରୀ ଯନ୍ତ୍ରୀ ବି.ଏନ.ବେହେରା ( ଉମରକୋଟ) ଓ ପି.କେ. ପ୍ରଧାନ(କୋଷାଗୁମୁଡା) ସରକାରୀ ଗାଡିରେ ଗୁରୁବାର ଅପରାହ୍ନରେ ଏହି ଟଙ୍କା ଧରି ଯାଉଥିବାବେଳେ ପାପଡାହାଣ୍ଡି ନିକଟରେ ଭିଜିଲାନ୍ସ ହାବୁଡରେ ପଡିଥିଲେ।
କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଦଳ ଗାଡିକୁ ଅଟକାଇବା ସହ ଗାଡି ଭିତରେଥିବା ଟଙ୍କା ଜବତ କରିବା ସହ ତିନି ଜଣଙ୍କୁ ନବରଙ୍ଗପୁର ଭିଜିଲାନ୍ସ ଡିଏସପି ଅଫିସକୁ ଆଣି ଅଟକ ରଖି ପଚରାଉଚରା କରାଯାଉଛି। ତେବେ ସେମାନେ ବ୍ୟାଙ୍କର ଟଙ୍କା କହୁଥିବାରୁ ଆସନ୍ତାକାଲି ଶୁକ୍ରବାର ଦିନ ବ୍ୟାଙ୍କ ଖୋଲିବା ପରେ ଅନୁସନ୍ଧାନ କରାଯାଇ ପରିବର୍ତ୍ତୀ ପଦକ୍ଷେପ ନିଆଯିବବୋଲି ଭିଜିଲାନ୍ସ ଡିଏସପି କଳାବତୀ ବାଘ କହିଛନ୍ତି। ତେବେ ଏତେଟଙ୍କା କେଉଁଠାରୁ ନେଉଁଥିଲେ ତାହା ସ୍ପଷ୍ଟ ହୋଇନଥିବାବେଳେ ଆଇଟିଡିଏରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ରହିଥିଲା।
ତେବେ ଏକ ଭିଜିଲାନ୍ସ ଦଳ ଆଇଟିଡିଏ ଅଫିସକୁ ଯାଇ ପ୍ରାଥମିକ ତଦନ୍ତ କରି ଫେରିଥିବା ଜଣାପଡିଛି। ତିନିଯନ୍ତ୍ରୀଙ୍କୁ ଆଜି ରାତ୍ର ଭିଜିଲାନ୍ସ ଅଫିସରେ ରଖାଯିବା ସହ ତଦନ୍ତ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣା ସଂପର୍କରେ କୋରାପୁଟ ଡିଭିଜନ (ଜୟପୁର)ର ଭିଜିଲାନ୍ସ ଏସପି ଶଶିଶେଖର ମହାପାତ୍ରଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହିଛନ୍ତି ।
Comments are closed.