Odisha Link
Bridging the Missing Links in Odisha

ଫେବୃଆରୀ ମାସରେ ହେବନାହିଁ ସିବିଏସଇ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଆସନ୍ତା ବର୍ଷ ୧୦ମ ଓ ୧୨ଶ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା ଜାରି ରହିଛି। ଫେବୃଆରୀ ମାସରେ ଏହି ପରୀକ୍ଷା ହେବାର ସମ୍ଭାବନା ନାହିଁ। ଏକଥା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ଆଜି ଏକ ଓ୍ବେବିନାରରେ ସେ କହିଛନ୍ତି ଯେ ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି।

ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରିରେ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା କରାଯିବା ସମ୍ପର୍କରେ ନିଷ୍ପତ୍ତି ପରବର୍ତ୍ତି କାଳରେ ନିଆଯିବ ବୋଲି ସେ କହିଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ହିଁ ହେବ। କାରଣ ଅନେକ ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି।

ଏଥର ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ସିଲାବସକୁ ପ୍ରାୟ ୩୦ ପ୍ରତିଶତ ହ୍ରାସ କରାଯାଇଛି। ପିଲାମାନଙ୍କ ଉପରୁ ଚାପ କମ କରିବାକୁ ଏହା କରାଯାଇଛି। ଅନ୍ୟପକ୍ଷରେ ପରୀକ୍ଷାକୁ ବାତିଲ କରି ପିଲାମାନଙ୍କୁ ପାଶ କଲେ ତାହା ପିଲାମାନଙ୍କ ପ୍ରତି ଅବିଚାର ହେବ।

କାରଣ ଭବିଷ୍ୟତରେ ସେମାନଙ୍କୁ କୋଭିଡ ସମୟର ପିଲା ବୋଲି କୁହାଯାଇପାରେ। ଏହା ସେମାନଙ୍କୁ ଉଚ୍ଚ ଶିକ୍ଷା, ଚାକିରି ଆଦି ବେଳେ ସମସ୍ୟାରେ ପକାଇପାରେ। ଏଣୁ ପରୀକ୍ଷା କୌଣସି ପରିସ୍ଥିତିରେ ବି ରଦ୍ଦ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି।

Comments are closed.