ଶୀତ ପାଇଁ ସତର୍କତା ଜାରି କଲା ଏସ୍ଆର୍ସି , ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସି ଆସିଛି। ଦାରିଙ୍ଗବାଡ଼ି, ସୋନପୁର, କୋରାପୁଟ, ବଲାଙ୍ଗିର, ଭବାନୀପାଟଣା, ତାଳଚେର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଏବଂ ବାରିପଦାରେ ପାରଦ ୧୦ଡିଗ୍ରୀ ତଳେ ରହିଛି। ଆସନ୍ତା ୨ରୁ୩ ଦିନ ପର୍ଯ୍ୟନ୍ତ ରାତ୍ରିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ।
ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ଶୀତ ଲହରୀକୁ ନେଇ ପୂର୍ବାନୁମାନ କରାଯାଇଛି। ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକୋପ ପ୍ରବଳ କିମ୍ବା ଅତି ପ୍ରବଳ ଅନୁଭୂତ ହେବ।
ତେଣୁ ଏସବୁ ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କତା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମଶନର ଜାରି କରିଥିବା ସତର୍କତାରେ ଦର୍ଶାଇଛନ୍ତି ଯେ ଡିସେମ୍ବର ୩୦ରୁ ଜାନୁଆରୀ ୨ ତାରିଖ ସକାଳ ପର୍ଯ୍ୟନ୍ତ ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ ଜିଲାରେ ଶୀତର ପ୍ରକୋପ ପ୍ରବଳ କିମ୍ବା ଅତି ପ୍ରବଳ ଅନୁଭୂତ ହେବ।
ଏସବୁ ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ଆଗାମୀ ଦିନରେ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବାକୁ ଥିବାରୁ ଲୋକମାନେ ଥଣ୍ଡାରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥତା ଅନୁଭବ କରିପାରନ୍ତି।
ଏହା ଗୃହପାଳିତ ପଶୁପକ୍ଷୀଙ୍କ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ସେହିପରି ରାଜ୍ୟର ଅନେକ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ଅନୁଭୁତ ହେବା ସମ୍ଭାବନା ରହିଛି। ଏଥିପାଇଁ ଅତ୍ୟାବଶ୍ୟକ କାମ ନଥିଲେ ଜନସାଧାରଣ ଘରୁ ନ ବାହାରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଥଣ୍ଡା ରାତିରେ ଚଳପ୍ରଚଳ ପାଇଁ କଟକଣା ଜାରି କରାଯାଇଥିବାବେଳେ ଦୁଇଚକିଆ ଯାନ କିମ୍ବା ଖୋଲାକାର୍ରେ ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଗ୍ୟାସ୍ ଏବଂ ଇଲେକ୍ଟ୍ରିକାଲ୍ ସାମଗ୍ରୀ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟର ସମସ୍ତ ଜିଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଏସ୍ଆର୍ସି ପକ୍ଷରୁ ଆଜି ଚିଠି ଲେଖାଯାଇଛି। ବସହୀନ ଓ ନିସହାୟ ବ୍ୟକ୍ତିଙ୍କ ପାଇଁ ସ୍କୁଲ ଓ କମ୍ୟୁନିଟି ବିଲ୍ଡିଂ ଖୋଲା ରଖାଯିବ। ଏପରିକି ଶୀତଦିନେ କ’ଣ କରିବା ଉଚିତ ଓ ଅନୁଚିତ ସେଥିନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଏସ୍ଆର୍ସି ନିର୍ଦେଶ ଜାରି କରିଛି।
Comments are closed.