ନାଲକୋରେ ୩୦ ହଜାର କୋଟି ନିବେଶ

ଭୁବନେଶ୍ବର: ୨୦୨୭-୨୮ ବର୍ଷ ସୁଦ୍ଧା ନାଲକୋରେ ୩୦ ହଜାର କୋଟି ନିବେଶ କରାଯିବ। ସମ୍ପ୍ରସାରଣ ଓ ବିବିଧାୟନ କ୍ଷେତ୍ରରେ ଏହି ଅର୍ଥ ନିବେଶ କରିବ ନାଲକୋ। ପ୍ରତିଷ୍ଠା ଦିବସରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ମହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଏହା ସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହାଦ୍ବାରା ଆତ୍ମନିର୍ଭର ଭାରତ ଯୋଜନା ଲକ୍ଷ୍ୟ ପୂରଣ ହୋଇପାରିବ।
ନାଲକୋର ୪୧ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ବର ମୁଖ୍ୟାଳୟଠାରେ ଆୟୋଜିତ ଏକ ସମାରୋହରେ ଯୋଗଦେଇ ସେ କହିଛନ୍ତି ଯେ ଏହି ୩୦ ହଜାର କୋଟି ମଧ୍ୟରୁ ପ୍ରାୟ ୭ ହଜାର କୋଟି ନାଲକୋର ୫ମ ରିଫାଇନାରୀ,ପଟାଙ୍ଗୀ ବକ୍ସାଇଟ ଖଣି, ଉତ୍କଳ-ଇ ଓ ଡି କୋଇଲା ବ୍ଲକ, କୋଇଲା ପରିବହନ ଆଦି ପ୍ରକଳ୍ପରେ ବିନିଯୋଗ କରାଯିବ। ଅବଶିଷ୍ଟ ୨୨ ହଜାର କୋଟି କାପ୍ଟିଭ ପାଓ୍ବାର ପ୍ଲାଣ୍ଟ ଓ ସ୍ମେଲଟର କ୍ଷମତା ସଂପ୍ରସାରଣ କାର୍ଯ୍ୟରେ ବିନିଯୋଗ କରାଯିବ । ସିପିପିର ଉତ୍ପାଦନ କ୍ଷମତା ୧୪୦୦ ମେଗାଓ୍ବାଟକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି।
ଅନ୍ୟପଟେ ଓଡ଼ିଶାରେ ଲୁହାପଥର ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସବୁପ୍ରକାରର ସହଯୋଗ କରୁଛନ୍ତି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଓଏମସିକୁ ୨ଟି ଓ ଓଡ଼ିଶା ମିନେରାଲ ଏକ୍ସେପ୍ଲୋରେସନ କର୍ପୋରେସନ (ଓଏମଇସିଏଲ)କୁ ଗୋଟିଏ ଲୁହାପଥର ଖଣି ପ୍ରଦାନ କରାଯାଇଛି। ଏହି ଅବସରରେ ନାଲକୋ ସିଏମଡି ଶ୍ରୀଧର ପାତ୍ର ସ୍ବାଗତ ଭାଷଣ ଦେଇଥିଲେ।
Comments are closed.