କରୋନା କଟକଣା ମଧ୍ୟରେ କାଲିଠୁ ଖୋଲିବ ସ୍କୁଲ

ଭୁବନେଶ୍ୱର: ଦୀର୍ଘ ୯ ମାସ କରୋନା କଟକଣା ପରେ ଆସନ୍ତା କାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସ୍କୁଲ ଖୋଲିବା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। କ୍ଲାସରୁମ୍, ଲାଇବ୍ରେରୀ, ଶୌଚାଳୟ ଆଦିକୁ ସାନିଟାଇଜ କରାଯାଉଛି। କୋଭିଡ ଗାଇଡଲାଇନ୍ ଅନୁସାରେ ସ୍କୁଲ କର୍ତ୍ତୃପକ୍ଷ, ଛାତ୍ରାଛାତ୍ରୀ, ଅଭିଭାବକ ଏସଓପି ମାନିବାକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି।
ସ୍କୁଲ ଖୋଲିବାର ୨ ଦିନ ପରେ ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ। ଏନେଇ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ସ୍କୁଲ୍ରେ ପାଠପଢ଼ା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଥିଲେ। ସେ କହିଛନ୍ତି, ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପାଠ ପଢ଼ିବେ। ଅଧିକ ପିଲାରେ ଅଧିକ ସେକ୍ସନ ହେବ। ଏହି ସମୟରେ ସାନିଟାଇଜେସନ୍ ଓ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ପ୍ରାଥମିକତା ଦିଆଯିବ।
ଏଥିସହ ଯେଉଁଠି ଶିକ୍ଷକଙ୍କ ଆବଶ୍ୟକତା ଥିବ ସେଠାରେ ଶିକ୍ଷକ ପଦବୀ ପୂରଣ ଲାଗି ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ହେବା ନେଇ କୌଣସି ନିଷ୍ପତ୍ତି ହୋଇନି। ଏନେଇ ସ୍ୱାସ୍ଥ୍ୟ ବିଭାଗ କହିଲେ କରିବୁ। ତେବେ ସିଲାବସ୍ ୩୦% କମିଛି, ଆଉ କମିବ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ସେପଟେ ସ୍କୁଲ କଲେଜ ଖୋଲିବା ପ୍ରସଙ୍ଗରେ ରାଜଧାନୀର ବିଭିନ୍ନ ସ୍କୁଲ କଲେଜ କର୍ତ୍ତୃପକ୍ଷଙ୍କ ସହିତ ବିଏମ୍ସି ପକ୍ଷରୁ ଆଲୋଚନା କରାଯାଇଛି। ସରକାର ଜାରି କରିଥିବା ଗାଇଡ୍ଲାଇନ୍କୁ ସଂପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ରାଜ୍ୟ ସରକାର ପ୍ରସ୍ତୁତ SOP କଡ଼ାକଡ଼ି ଭାବେ ପାଳନ କରାଯିବ। ଯେଉଁ ପିଲାମାନେ ସ୍କୁଲ କଲେଜ ଆସିବେ, ସେମାନଙ୍କ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ଜରୁରୀ ଅଟେ। ଏହାକୁ ଶିକ୍ଷାନୁଷ୍ଠାନଗୁଡ଼ିକ ନିହାତି ଭାବେ ମାନିବେ।
ଏହା ସହିତ ବିଏମ୍ସି ଏକ ହେଲ୍ପ ନମ୍ବର ଜାରି କରିଛି। କୋଭିଡ ସଂପର୍କିତ କିଛି ସମସ୍ୟା ହେଲେ, ଏହି ନମ୍ବରରେ ସ୍କୁଲ କଲେଜ କର୍ତ୍ତୃପକ୍ଷ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ସମସ୍ୟା ସମ୍ପର୍କରେ ଅବଗତ କରାଇପାରିବେ।
Comments are closed.