Odisha Link
Bridging the Missing Links in Odisha

ମଣ୍ଡିକୁ ମିଳୁଥିବା କେନ୍ଦ୍ରୀୟ ଅର୍ଥର ହରିଲୁଟ୍ ହେଉଛି: ବିଜୟ ପାଲ ସିଂ ତୋମର

ଭୁବନେଶ୍ୱର: ରାଜ୍ୟରେ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ବିଜେପି ତରଫରୁ ଚାଲିଥିବା ମଣ୍ଡିଚାଲ ଅଭିଯାନ କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର କାକରୁଦ୍ରପୁର ଧାନମଣ୍ଡିକୁ ରାଜ୍ୟ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଗ୍ରସ୍ତ କରିଥିଲେ। ବିଜେପିର ଓଡ଼ିଶା ସହପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମର ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ପ୍ରତିନିଧିମଣ୍ଡଳୀ ଧାନମଣ୍ଡିରେ ପହଁଚି କୃଷକ ପଞ୍ଚାୟତ କରିଥିଲେ। ସ୍ଥାନୀୟ ଚାଷୀମାନଙ୍କ ସହ ଆଲୋଚନାରୁ ଜଣାପଡିଲା ଯେ, ଅଦ୍ୟାବଧି ଉପଯୁକ୍ତ ଚାଷୀଙ୍କୁ ଟୋକନ୍ ମିଳିବାରେ ବିଳମ୍ବ ହୋଇଛି ଓ ଟୋକନ ମିଳିବାରେ ପାନ୍ତରଅନ୍ତର ବ୍ୟବସ୍ଥା ହୋଇଛି ।

ସମସ୍ତ ଚାଷୀଙ୍କର କ୍ୱିଂଟାଲ ପିଛା ୨ କେଜି ଧାନ କଟନୀ ଛଟନୀ ହେଉଛି, ଭାଗଚାଷୀ କୌଣସି ପ୍ରାପ୍ୟ ପାଉନାହାଁନ୍ତି। ମଣ୍ଡିରେ ପିଇବା ପାଣି, ଶୌଚାଳୟ ତଥା ଧାନକୁ ସୁରକ୍ଷିତ ରଖିବା ପାଇଁ ଛାତ ଏବଂ ସୀମା ପ୍ରାଚୀର ଓ ମାନକ ଯନ୍ତ୍ର ଆଦି ନଥିବା କଥା ପ୍ରତିନିଧିମଣ୍ଡଳୀ ଚାଷୀଙ୍କୁ ପଚାରିବାରେ ଜାଣିପାରିଲେ। କେନ୍ଦ୍ରସରକାର ମଣ୍ଡିର ଭିତିଭୂମି ସୁଦୃଢ ପାଇଁ ବ୍ୟାପକ ଅର୍ଥର ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ଏଠାରେ ଦୃଶ୍ୟମାନ ହୋଇନଥିଲା । ଚାଷୀ ନିଜସ୍ୱ ଅର୍ଥରେ ଅଖା କିଣୁଛି ଏବଂ ଯାତାୟତ ଖର୍ଚ୍ଚ ଓ ଶ୍ରମିକ ଖର୍ଚ୍ଚ ନିଜେ ବହନ କରୁଅଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ମିଲର ଆସିନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଥିଲେ ମଧ୍ୟ ରାଜ୍ୟସରକାର ଏଠାରେ ଧାନର ଅଭାବୀ ବିକ୍ରି କରୁଛନ୍ତି। ଧାର୍ଯ୍ୟ ଧାନ ବାଦ ଅବଶିଷ୍ଟ ଧାନକୁ ରାଜ୍ୟସରକାର ଚାଷୀଙ୍କ ଠାରୁ କାହିଁକି କିଣୁନାହାଁନ୍ତି ବୋଲି ଶ୍ରୀ ତୋମର୍ ପ୍ରଶ୍ନ କରିଥିଲେ। କେନ୍ଦ୍ରସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂଆ କୃଷି ଆଇନ ମଧ୍ୟସ୍ଥି ବା ଦଲାଲୀ ବ୍ୟବସ୍ଥାର ପୂର୍ଣ୍ଣଛେଦ ପକାଇବ। ଓଡିଶାରେ ମିଲ୍ ମାଲିକ ଓ ରାଜ୍ୟସରକାରଙ୍କ ମଧୁ ଚନ୍ଦ୍ରିକା ପାଇଁ ମଣ୍ଡିକୁ ମିଳୁଥିବା କେନ୍ଦ୍ରୀୟ ଅର୍ଥର ହରିଲୁଟ୍ ହେଉଛି। ଏମଏସପି କେନ୍ଦ୍ର ସରକାର ଦେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅସହଯୋଗ ଏବଂ ଦଲାଲି ବ୍ୟବସ୍ଥା ଯୋଗୁଁ ଓଡିଶାରେ ଚାଷୀ ତା’ର ସୁଫଳ ପାଇପାରୁନାହିଁ ବୋଲି ଶ୍ରୀ ତୋମର କହିଛନ୍ତି।

ଏହି ଅଭିଯାନରେ ପୂର୍ବତନ ମନ୍ତ୍ରୀ କେ.ଭି. ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ୍ ଦାସ ପ୍ରମୁଖ ସାମିଲ ହୋଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରେନ୍ଦ୍ରନାଥ ନାୟକଙ୍କ ସଂଯୋଜନାରେ ଆୟୋଜିତ କୃଷକ ପଂଚାୟତରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବାସ ଜେନା, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ ଓ ଦିଲ୍ଲିପ ସ୍ୱାଇଁ, ସଂପାଦକ ଅଶୋକ ମହାନ୍ତି ଓ ଲିଙ୍ଗରାଜ ବାରିକ, ସଂଯୋଜକ ସରୋଜ ସାହୁ, ବିକ୍ରମ ରାଉତରାୟ, ବିଶ୍ୱଜିତ୍ ସ୍ୱାଇଁ ଓ ଲକ୍ଷ୍ମୀକାନ୍ତ ମିଶ୍ର, ବସନ୍ତ ନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ସ୍ଥାନୀୟ ମଣ୍ଡଳ ସଭାପତି ସଂଜୟ ତ୍ରିପାଠୀ, ସଂଜିତ ସ୍ୱାଇଁ, ରଂଜିତ ମହାନ୍ତି, ସନ୍ତୋଷ ସାହୁ ଏବଂ ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.