ଲଞ୍ଚ୍ ହେଲା ପ୍ରଥମ ‘ଓଡ଼ିଆ ଡିଜିଟାଲ ସ୍ଵାସ୍ଥ୍ୟ ମାଗାଜିନ୍’
![](https://www.odishalink.com/wp-content/uploads/2021/01/pic_1.jpg)
ଭୁବନେଶ୍ବର: ଆଜିର ଅତ୍ୟାଧୁନିକ ତଥା ବ୍ୟସ୍ତବହୁଳ ଜୀବନ ଭିତରେ ସମସ୍ତଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା। ସୁସ୍ଥ ଜୀବନଯାପନ ସହିତ ବିଭିନ୍ନ ସମୟରେ ଦେଖାଦେଉଥିବା ସଂକ୍ରାମକ ରୋଗ ତଥା ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଦେଖାଦେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଜାଣିବା ଓ ଏଥିରୁ ନିଜକୁ ସୁରକ୍ଷିତ ରଖିବାର ଆବଶ୍ୟକ ହୋଇପଡ଼ିଛି। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲଞ୍ଚ୍ ହୋଇଛି ‘ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍’।
ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଲୋକଙ୍କ ପାଇଁ ଏହି ମାଗାଜିନ୍ ବେଶ୍ ଉପାଦେୟ ହେବ। ମୋବାଇଲ ମାଧ୍ୟମରେ ଲୋକେ ବିନା ଶୁଳ୍କରେ ଏହି ମାଗାଜିନ୍କୁ ପଢ଼ିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଲୋକ ଏହି ମାଗାଜିନ୍କୁ ସସ୍କ୍ରାଇବ କରିସାରିଛନ୍ତି। ସ୍ଵାସ୍ଥ୍ୟ ମାଗାଜିନ୍ରେ ରହିଛି ଓଡ଼ିଶାର ଜଣାଶୁଣା ଡାକ୍ତରଙ୍କ ସାକ୍ଷାତକାର, ସ୍ୱାସ୍ଥ୍ୟ ସଚେତନତା, ଡାକ୍ତରଙ୍କ ସ୍ୱାସ୍ଥ୍ୟ ଟିପ୍ସ, ମହାମାରୀ କରୋନା ସମ୍ପର୍କିତ ସମସ୍ତ ତଥ୍ୟ, ବିଭିନ୍ନ ସଂକ୍ରମଣ ଓ ରୋଗ ପ୍ରତିଷେଧକ, ପ୍ୟାରେଣ୍ଟିଂ, ମାନସିକ ସ୍ୱାସ୍ଥ୍ୟ, ଖାଦ୍ୟ ଓ ପୋଷକ ତତ୍ୱ, ସ୍ଵାସ୍ଥ୍ୟ ସମ୍ପର୍କିତ ଟିପ୍ସ ବା ସୂଚନା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିକିନିଖି ଖବର ଇତ୍ୟାଦି।
‘‘ଓଡ଼ିଆ ଭାଷାରେ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଡିଜିଟାଲ ମାଗାଜିନ୍ର ଆବଶ୍ୟକତା ଥିଲା। କାରଣ ଆଜି ସମସ୍ତଙ୍କ ହାତ ମୁଠାରେ ମୋବାଇଲ୍। ଏହି ମୋବାଇଲ୍ ମାଧ୍ୟମରେ ଲୋକ ନିଜର ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଅନେକ କଥା ଜାଣିବାକୁ ଚାହୁଁଛନ୍ତି। ସ୍ୱାସ୍ଥ୍ୟ ସୂଚନା ହେଉ କି ସିଧାସଳଖ ଡାକ୍ତରଙ୍କ ମୁହଁରୁ ଆସୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆପଣ ପ୍ରତିଦିନ ଖୋଜୁଥିବା ଏଭଳି ଅନେକ ବିଷୟକୁ ଉପସ୍ଥାପନ କରିବା ପାଇଁ ଚେଷ୍ଟା କରିଆସୁଛି ଆମ ସ୍ୱାସ୍ଥ୍ୟ ପ୍ଲସ୍ ଟିମ’’, କହିଛନ୍ତି ଏହି ସ୍ୱାସ୍ଥ୍ୟ ପୋର୍ଟାଲର ସିଇଓ ସିଦ୍ଧାର୍ଥ ରଥ। ପିଲାଙ୍କ ସ୍ୱାସ୍ଥ୍ୟ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ, ବୟସ୍କ ନାଗରିକଙ୍କ ସୁସ୍ଥ ଜୀବନ ଧାରା, ମାନସିକ ସ୍ୱାସ୍ଥ୍ୟ, ଆଧୁନିକ ଜୀବନଶୈଳୀ, ଖାଦ୍ୟ ରୁଚି, ବ୍ୟାୟାମ ଓ ଫିଟନେସ୍, ରୂପଚର୍ଯ୍ୟା ଏହିଭଳି ବ୍ୟାପକ ବିଷୟକୁ ନେଇ ପ୍ରସ୍ତୁତ ହେଉଛି ସ୍ୱାସ୍ଥ୍ୟ ପ୍ଲସ୍ ମାଗାଜିନ୍ର କଣ୍ଟେଣ୍ଟ।
ତେଣୁ ଏହା ବିଭିନ୍ନ ବୟସ, ବର୍ଗ ଓ ରୁଚିର ଲୋକଙ୍କ ପାଇଁ ଏକ ଉପାଦେୟ ଡିଜିଟାଲ୍ ମାଗାଜିନ୍ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ପ୍ଲସର ସମ୍ପାଦନା ମଣ୍ଡଳୀ କହିଛନ୍ତି।ଆମ ହାତପାଆନ୍ତାରେ ବିଶେଷକରି ନିଜ ଘର ଭିତରେ ଏପରି ଅନେକ ଖାଦ୍ୟ ରହିଛି ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଯେପରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହଳଦୀ, ତମ୍ବା ପାତ୍ରରେ ପାଣି ପିଇଲେ କ’ଣ ଲାଭ ହୁଏ? ଏହିଭଳି ଛୋଟ ଛୋଟ ବିଷୟକୁ ଓଡ଼ିଆ ଭାଷାରେ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍ ମାଧ୍ୟମରେ ପ୍ରସ୍ତୁତ କରୁଛି ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ପୋର୍ଟାଲ୍ ‘ସ୍ୱାସ୍ଥ୍ୟ ପ୍ଲସ୍ ଓଡ଼ିଆ’। ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ ଭାବରେ ଆପଣ ଏଥିରେ ବିଭିନ୍ନ ସ୍ୱାସ୍ଥ୍ୟଭିତ୍ତିକ ଭିଡିଓ ଦେଖିପାରିବେ, ସ୍ୱାସ୍ଥ୍ୟ ପ୍ରଡକ୍ଟ କିଣିପାରିବେ, ସ୍ୱାସ୍ଥ୍ୟ କୁଇଜରେ ଭାଗ ନେଇ ପାରିବେ ଏମିତି ଅନେକ କିଛି।
Comments are closed.