Odisha Link
Bridging the Missing Links in Odisha

ସାଇବର ଠକେଇ, ୨.୬୫ ଲକ୍ଷ ଟଙ୍କା ଲୁଟ୍

କଳାହାଣ୍ଡି: ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକେଇ ମାମଲା। ବିଭିନ୍ନ ଉପାୟରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଲୁଟୁଛନ୍ତି ସାଇବର ଠକ। ଏବେ ସାଇବର ଠକ୍‌ ନୂଆ ଚାଲ୍‌ ଆପଣାଇଛନ୍ତି। ବିନା ଓଟିପିରେ ଆକାଉଣ୍ଟରୁ ହୋଇଯାଉଛି ଟଙ୍କା ଗାଏବ।

୨୦ ହଜାର ଟଙ୍କାର ଲୋଭ ଦେଖାଇ ଆକାଉଣ୍ଟରୁ ଲୁଟି ନେଲେ ୨ ଲକ୍ଷ ୬୫ ହଜାର ଟଙ୍କା। କଳାହାଣ୍ଡି ଭବାନୀପାଟଣାର ଏକ ବୟସ୍କ ଶିକ୍ଷିତ ଦମ୍ପତି ଏପରି ଠକାମୀର ଶିକାର ହୋଇଛନ୍ତି। ସାଇବର ଠକେଇର ଶିକାର ହୋଇଛନ୍ତି ଭବାନୀପାଟଣା ଶର୍ମା କଲୋନୀର ଜଣେ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି ଓ ତାଙ୍କ ପତ୍ନୀ।

ଗତ ଶନିବାର ମଧ୍ୟାହ୍ନରେ ଗଙ୍ଗାଧରଙ୍କ ପାଖକୁ ଏକ ଅଜଣା କଲ୍‌ ଆସିଥିଲା। ଜିଓ ଫୋନ କଷ୍ଟମର କେୟାରରୁ କହୁଛି କହି କିଛି ପ୍ରୋବ୍ଲେମ ଅଛି କି ବୋଲି ପଚାରି ଥିଲା ଜଣେ ଅଜଣା ବ୍ୟକ୍ତି। ଏହା ପରେ ନୂଆବର୍ଷରେ ଆପଣଙ୍କ ପାଇଁ ମାଗଣା ଅଫର ଅଛି, ମୋବାଇଲ ଗିଫ୍ଟ ମିଳିବ ବୋଲି କହିଥିଲା। ଏହାପରେ ବ୍ୟାଙ୍କ କ୍ରେଡିଟ କାର୍ଡ ଆକାଉଣ୍ଟରୁ ୪୫ ହଜାର ଟଙ୍କା, ବ୍ୟାଙ୍କ ଆକାଉଣ୍ଟରୁ ଗୁଗୁଲ ପେ ଜରିଆରେ ଲକ୍ଷେ ଟଙ୍କା ଓ ତାଙ୍କ, ସ୍ତ୍ରୀଙ୍କ ଆକାଉଣ୍ଟ ଲକ୍ଷେ ୨୦ ହଜାର ନେଇଗଲେ। ଆଖି ପିଛୁଳାକେ ଗଙ୍ଗାଧର ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ସମୁଦାୟ ୨ଲକ୍ଷ ୬୫ ହଜାର ଟଙ୍କା ଗାଏବ ହୋଇଯାଇଛି।

ସାଇବର ଠକ ୨୦ ହଜାର ଟଙ୍କା ଅଫର ଦେବା ପାଇଁ କହୁଥିବା ବେଳେ ମେସେଜରେ ଟଙ୍କା ଆକାଉଣ୍ଟରୁ କାଟିବା ଦେଖି ଗଙ୍ଗାଧର ଙ୍କର ସନ୍ଦେହ ହୋଇଥିଲା। କିନ୍ତୁ ସେତେବେଳକୁ ତାଙ୍କର ୧ଲକ୍ଷ ଟଙ୍କା ଆକାଉଣ୍ଟରୁ ଚାଲିଯାଇଥିଲା ଏହାପରେ ଟଙ୍କା କାହିଁକି କଟୁଛି କହିବାରୁ ଆପଣଙ୍କ ଟଙ୍କା ପୁଣି ଫେରି ପାଇବେ କହିଥିଲା ଠକ। ଏହାପରେ କଳାହାଣ୍ଡି ଏସ୍‌ପିଙ୍କ ସାଇବର ସେଲକୁ ଗଙ୍ଗାଧର ଜଣାଇବା ସହ ଭବାନୀ ପାଟଣା ଟାଉନ ଥାନାରେ ଏନେଇ ଏତଲା ଦେଇଛନ୍ତି।

ଏନେଇ କଳାହାଣ୍ଡି ଏସ୍‌ପି କହିଛନ୍ତି, ଏ ସଂକ୍ରାନ୍ତରେ ଟାଉନଥାନାରେ ଏକ କେସ୍‌ ହୋଇଛି। ତାଙ୍କ ମୋବାଇଲକୁ ଲିଙ୍କ ଆସିଥିଲା। ଏହାପରେ କଲ୍ କରି ଜଣେ ବ୍ୟକ୍ତି ଏକ ଆପ୍‌ ଇନଷ୍ଟଲ କରିବାକୁ କହିଲେ। ଏହାପରେ ଇନଷ୍ଟଲ କରିବା ପରେ ସବୁ ମୋବାଇଲ ଡାଟା ସେମାନେ ନେଇଗଲେ। ଏହାପରେ ୨.୬୫ ହଜାର ଟଙ୍କା ଗାଏବ ହୋଇଗଲା। ଏହାପରେ ବ୍ୟାଙ୍କକୁ କଲ୍‌ କରି ଆକାଉଣ୍ଟ ବ୍ଲକ କରାଯାଇଛି। ତଦନ୍ତ ଚାଲୁଅଛି।

Comments are closed.