ଇଂଲଣ୍ଡ ବିପକ୍ଷ ପ୍ରଥମ ୨ ଟେଷ୍ଟ ପାଇଁ ଆଜି ଦଳ ଘୋଷଣା କରିବ ବିସିସିଆଇ

ନୂଆଦିଲ୍ଲୀ: ବର୍ଡର-ଗାଭସ୍କାର ସିରିଜ ପରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ। ଆସନ୍ତା ଫେବୃଆରୀ ୫ ତାରିଖରେ ଭାରତରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ। ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ୪ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏଥିପାଇଁ ଆଜି ୪ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ୍ ପାଇଁ ଖେଳାଳିଙ୍କ ନାମ ଘୋଷଣା କରିବ ବିସିସିଆଇ।
ମଙ୍ଗଳବାର ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ବୈଠକ ଆୟୋଜନ କରାଯାଇ ପ୍ରଥମ ୨ଟି ଟେଷ୍ଟ ପାଇଁ ଦଳ ଘୋଷଣା କରାଯିବ। ବୈଠକରେ ଜଶପ୍ରୀତ ବୁମରା ଓ ରବି ଚନ୍ଦ୍ରନ ଅଶ୍ୱିନଙ୍କ ଫିଟ୍ନେସ୍ ମୁଖ୍ୟ ପ୍ରସଙ୍ଗ ରହିବ। ଗତ ସିଡନୀ(ତୃତୀୟ) ଟେଷ୍ଟରେ ଉଭୟ ଆହତ ହୋଇଥିଲେ। ବ୍ରିସ୍ବେନ୍ରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରୁ ଉଭୟଙ୍କ ବାଦ ଦିଆଯାଇଛି। ସେହିପରି ବର୍ତ୍ତମାନ ପିତୃତ୍ତ୍ୱ ଅବକାଶରେ ରହିଥିବା ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।
ସେହିପରି ଫିଟ୍ ହୋଇ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଖେଳୁଥିବା ସିନିୟର ପେସ୍ ବୋଲର ଈଶାନ୍ତ ଶର୍ମାଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି। ଚଳିତ ଟେଷ୍ଟ ସିରିଜ ବେଳେ ଆହତ ହୋଇଥିବା ମହମ୍ମଦ ସାମି, ରବିନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ହନୁମା ବିହାରୀଙ୍କୁ ଦଳରେ ସ୍ଥାନ ମିଳିବ ନାହିଁ।
ସୂଚନାଥାଉକି, ଫେବ୍ରୁଆରୀ ୫ରୁ ୯ ତାରିଖ ମଧ୍ୟରେ ପ୍ରଥମ ଟେଷ୍ଟ ଓ ୧୩ରୁ ୧୭ ତାରିଖ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଉଭୟ ଟେଷ୍ଟ ଚେନ୍ନାଇରେ ଅନୁଷ୍ଠିତ ହେବ।
Comments are closed.