କଲେଜ ନ ଯାଇ ବି ଦରମା ନେଇଛନ୍ତି ମନ୍ତ୍ରୀଙ୍କ ବୋହୂ
ଢେଙ୍କାନାଳ: ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ପିଏଚଡି ନାଁରେ ମନ୍ତ୍ରୀଙ୍କ ବୋହୁଙ୍କୁ ଛୁଟି ଓ ଦରମା ଦିଆଯାଇଥିବା ଅଭିଯୋଗ ହୋଇଛି। ଏମିତି ଏକ ଖବର ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରୁ। ସୂଚନା ଅଧିକାର ଆଇନ ବଳରେ କାମାକ୍ଷାନଗର କଲେଜରେ ଚାଲିଥିବା ଦୁର୍ନୀତି ପଦାରେ ପଡ଼ିଛି। ଏନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୁ ଲିପସା ପ୍ରଧାନ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ।
ସୂଚନାଯୋଗ୍ୟ ଯେ, ମନ୍ତ୍ରୀଙ୍କ ବୋହୁ ଲିପସା କାମାକ୍ଷାନଗର କଲେଜରେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଅଛନ୍ତି। ୨୦୧୬-୨୦୧୮ ଶିକ୍ଷା ବର୍ଷରେ ଲିପସାଙ୍କ ଉପସ୍ଥାନ ରେକର୍ଡ କଲେଜରେ ନାହିଁ, ହେଲେ ମାସକୁ ମାସ ଦରମା ଦିଆଯାଉଛି। ଏନେଇ କଲେଜ କର୍ତ୍ତୃପକ୍ଷ କହୁଛନ୍ତି ସେହି ସମୟରେ ଲିପସା ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିଲେ। ଏପଟେ ବାଣୀବିହାରରେ ୨୦୧୬-୨୦୧୮ ଶିକ୍ଷା ବର୍ଷରେ ଲିପସା ନାଁରେ କେହି ପିଏଚଡି କରିନଥିବା ତଥ୍ୟ ଆରଟିଆଇରୁ ମିଳିଛି। ଏହାଛଡା ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଅରବିନ୍ଦ କାନ୍ତ ରାୟଙ୍କ ପତ୍ନୀ ମଧୁମିତା ସାହୁଙ୍କ ନିଯୁକ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି।
ଅଭିଯୋଗରେ କୁହା ଯାଇଛି ଯେ, ମଧୁମିତା ୧୯୯୬ ମସିହାରେ ନିଯୁକ୍ତି ପାଇଥିଲେ, କିନ୍ତୁ ନିଯୁକ୍ତିକୁ ୮ବର୍ଷ ପଛକୁ ଘୁଞ୍ଚାଇ ୧୯୮୮ ଦର୍ଶାଇ ବକେୟା ଦରମା ନିଆଯାଇଛି। ସେହିପରି ରୁଷା ଯୋଜନାରେ କଲେଜର ଉନ୍ନୟନ ପାଇଁ ଆସିଥିବା ଅର୍ଥ ତୋଷାରପାତ ହୋଇଥିବା ଅଭିଯୋଗ ହୋଇଛି। ବିନା ଟେଣ୍ଡରରେ ଜଣେ କଲେଜ ଅଧ୍ୟାପକ ଠିକାଦାର ସାଜି ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରିଥିବା ଅଭିଯୋଗ ନେଇ ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ଓଡିଶା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ପାଇବା ପରେ ଲୋକାୟୁକ୍ତ ମନ୍ତ୍ରୀଙ୍କ ବୋହୁ ଲିପସା ପ୍ରଧାନ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜବାବ ତଲବ କରିଥିଲେ। ସମସ୍ତଙ୍କ ପକ୍ଷ ଶୁଣିବା ପରେ ତଦନ୍ତ ବିଭାଗର ନିର୍ଦ୍ଦେଶକଙ୍କୁ ପୁରା ଘଟଣାର ଯାଂଚ କରିବା ସହ ଦୁଇ ମାସ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.