Odisha Link
Bridging the Missing Links in Odisha

ଟ୍ରାକ୍ଟର ରାଲିରେ ରୋକ ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛିି। ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ଏହି ମାମଲାରେ ଏବେ ନିଷ୍ପତ୍ତି ଦିଲ୍ଲୀ ପୁଲିସ୍ ହାତରେ ଛାଡ଼ିଛନ୍ତି ସୁପ୍ରିମକୋର୍ଟ।

ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସ୍ ନିର୍ଦ୍ଦେଶନାମା ଜାରି କରିପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସୋମବାର ଏହି ମାମଲାର ଶୁଣାଣି କରି ରାୟ ସ୍ଥଗିତ ରଖିଥିଲେ କୋର୍ଟ। ସେତେବେଳେ ମଧ୍ୟ ଟ୍ରାକ୍ଟର ରାଲି ହେବ କି ନାହିଁ, ଏହାର ନିଷ୍ପତ୍ତିରେ ଦିଲ୍ଲୀ ପୁଲିସର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ କହିଥିଲେ କୋର୍ଟ। ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବାକୁ ଅଡି ବସିଛନ୍ତି ଚାଷୀ ସଂଗଠନ।

କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ପିଟିସନରେ କୁହାଯାଇଛି ଯେ, ଶୋଭାଯାତ୍ରା ଯୋଗୁଁ ସାଧାରଣତନ୍ତ୍ର ଦିବସରେ ବ୍ୟାଘାତ ସୃଷ୍ଟି ହେବ। ସେପଟେ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ସେପଟେ ଆଜି ୧୦ମ ପର୍ଯ୍ୟାୟ ବୈଠକ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବ। ପୂର୍ବରୁ ହୋଇଥିବା ଆଲୋଚନାରେ କିଛି ପ୍ରସଙ୍ଗରେ ସହମତି ହୋଇଛି। ହେଲେ କୃଷକ ସଂଗଠନର ମୂଳ ଓ ମୁଖ୍ୟ ଦାବି ତିନି କୃଷି ଆଇନ ପ୍ରତ୍ୟାହାର ଉପରେ କୌଣସି ସହମତି ହୋଇପାରୁ ନାହିଁ।

Comments are closed.