ସୋନୁ ସୁଦଙ୍କ ପାଇଁ ବଢୁଛି ଅଡୁଆ
![](https://www.odishalink.com/wp-content/uploads/2020/09/Sonu_Sood.jpeg)
ମୁମ୍ବାଇ: ରିଲ୍ରୁ ରିଅଲ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ମୁମ୍ବାଇର ଜୁହୁ ସ୍ଥିତ ଆବାସିକ ଅଞ୍ଚଳରେ ବେଆଇନ ନିର୍ମାଣକୁ ନେଇ ବିଏମସି ସୋନୁଙ୍କୁ ନୋଟିସ୍ କରିଥିଲା। ଏହାକୁ ଖାରଜ ଓ ଅନ୍ତରୀଣ ସୁରକ୍ଷା ପାଇଁ ସୋନୁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଆଜି ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।
ହାଇକୋର୍ଟ ବିଚାରପତି ଜଷ୍ଟିସ ପୃଥ୍ୱୀରାଜ ଚୌହାନ ଅଭିନେତା ସୋନୁଙ୍କ ଆବେଦନକୁ ଖାରଜ କରି କହିଛନ୍ତି, ଯେଉଁମାନେ ପରିଶ୍ରମୀ, ସେମାନଙ୍କୁ ହିଁ ଆଇନ ସହାୟତା କରିଥାଏ। ସୋନୁ ସୁଦଙ୍କ ଓକିଲ ଅମୋଘ ସିଂହ ନୋଟିସ ଉପରେ ଜବାବ ଦେବାକୁ ୧୦ ସପ୍ତାହ ସମୟ ମାଗିଥିଲେ। ଏଥିସହ ସୋନୁଙ୍କ ବିଲଡିଂରେ କୌଣସି ପ୍ରକାରର ଉଚ୍ଛେଦ କାମ ନ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ।
ତେବେ କୋର୍ଟ ଏହା ଉପରେ କୌଣସି ପ୍ରକାରର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିବା ସହ ବିଏମସି ନିକଟରେ ସୋନୁ ବ୍ୟକ୍ତିଗତ ଭାବେ ହାଜର ହୋଇ ସହଯୋଗ ଲୋଡ଼ି ପାରିବେ ବୋଲି ପରାମର୍ଶ ଦେଇଥିଲେ। ବର୍ତ୍ତମାନ ବିଲ୍ ବିଏମସି ଅଫିସରେ ଅଛି। ତେଣୁ ଆପଣ ସେଠାକୁ ଯାଇ ନିବେଦନ କରିପାରିବେ। ଆପଣ ବହୁତ ବିଳମ୍ବ କରି ସାରିଛନ୍ତି। ଆପଣଙ୍କ ପାଖରେ ପ୍ରଚୁର ସୁଯୋଗ ରହିଥିଲା ବୋଲି ଜଷ୍ଟିସ୍ ଚୌହାନ କହିଛନ୍ତି।
ପୂର୍ବରୁ ସୋନୁ ଦିନଦୋଶୀରେ ଥିବା କୋର୍ଟରେ ମଧ୍ୟ ବିଏମସିର ନୋଟିସ ବିରୋଧରେ ଆବେଦନ କରିଥିଲେ। କିନ୍ତୁ ସେଠାରୁ ନିରାଶ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଏମସି କହିଛି ଯେ ,ଶକ୍ତି ନଗରରେ ଥିବା ୬ ମହଲା ବିଶିଷ୍ଟ ବିଲଡିଂର ରୂପରେଖ ସୋନୁ ବେଆଇନ ଭାବେ ପରିବର୍ତ୍ତନ କରିଛନ୍ତି। ସେହିପରି ବିଏମସିର ବିନା ଅନୁମତିରେ ସେ ଏହି ଆବସିକ ଅଞ୍ଚଳରେ ଥିବା ବିଲଡିଂକୁ ହୋଟେଲରେ ମଧ୍ୟ ବଦଳାଇ ଦେଇଛନ୍ତି। ତେବେ ସୋନୁ ଏପରି କୌଣସି କାମ କରି ନଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି।
Comments are closed.