Odisha Link
Bridging the Missing Links in Odisha

ଅନ୍ତର୍ଜାତୀୟ ମାନର ହେବ ଐତିହ୍ୟ ନଗର କୋଣାର୍କ

କୋଣାର୍କ: କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି। ଭିତ୍ତିଭୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଚିଠା ଯୋଜନା ନେଇ ୨୧ ଦିନ ମଧ୍ୟରେ ଜନସାଧାରଣ ମତାମତ ଦେଇପାରିବେ। ୫-T କାର୍ଯ୍ୟକ୍ରମ ଅଧିନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂର୍ଯ୍ୟ ମନ୍ଦିରର ଗାରିମାର ସୁରକ୍ଷା, ପର୍ଯ୍ୟଟକ ମାନଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ। କୋଣାର୍କ ମନ୍ଦିରର ପାରିପାର୍ଶ୍ୱିକ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ୱିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି ।

ସାଢ଼େ ତିନି କିଲୋମିଟର ବାହ୍ୟ ରିଂ ରୋଡକୁ ୬ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବ। ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ପଏଣ୍ଟର ବିକାଶ କରାଯିବ। ଫେରିବାଲା ମାନଙ୍କୁ ପୁନଃ ଥଇଥାନ କରାଯିବ। ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ ଲ୍ୟାଣ୍ଡସ୍କେପିଂ କରାଯିବ

ପ୍ରବେଶସ୍ଥଳରେ ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ପାଇଁ ସୁଦୃଶ୍ୟ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ। ତା’ ସହିତ ଗାଡ଼ି ମୋଟର ପାର୍କିଂ ପାଇଁ ମଲ୍ଟି ମୋଡାଲ୍ ହବ୍ ନିର୍ମାଣ କରାଯିବ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ପୁନଃବିନ୍ୟାସ କରାଯିବ। ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ। ପୂର୍ବରୁ କୋଣାର୍କକୁ ଐତିହ୍ୟ ନଗର କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Comments are closed.