କରୋନା ମହାମାରୀ ସତ୍ତ୍ବେ ଓଡ଼ିଶାର ରପ୍ତାନି ହାର ବଢିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ରପ୍ତାନି ପୁରସ୍କାର ପ୍ରଦାନ ଉତ୍ସବ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ଦେଇ କହିଛନ୍ତି ବାଣିଜ୍ୟ କାରବାରରେ ଓଡ଼ିଶାର ଉଲ୍ଲେଖନୀୟ ଅବଦାନ ରହିଛି । ‘ସାଧବ ପୁଅ’ ବାହାର ଦେଶରେ କଳିଙ୍ଗକୁ ପରିଚିତ କରାଇଥିଲେ । କଳିଙ୍ଗର ଏହି ପରମ୍ପରା ଆମକୁ ପ୍ରେରଣା ଯୋଗାଉଛି।
କରୋନା ମହାମାରୀ ସତ୍ତ୍ବେ ଓଡ଼ିଶା ରପ୍ତାନି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିପାରିଛି। ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ରାଜ୍ୟ ନିଜର ରପ୍ତାନିରେ ୫୫ ପ୍ରତିଶତ ବୃଦ୍ଧି କରିପାରିଛି। ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଓଡ଼ିଶାର ରପ୍ତାନିକାରୀଙ୍କ ପାଇଁ ଏହା ଏକ ଚମତ୍କାର ସଫଳତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ରପ୍ତାନି ବୃଦ୍ଧି ପାଇଁ ରାଜ୍ୟ ସରକାର ବ୍ୟବସାୟ ବାତାବରଣକୁ ଆହୁରି ଅନୁକୂଳ କରିବାକୁ ପଦକ୍ଷେପ ନେଉଛନ୍ତି। ନିତି ଆୟୋଗ ଦ୍ବାରା ପ୍ରକାଶିତ ରପ୍ତାନି ପ୍ରସ୍ତୁତି ସୂଚକାଙ୍କରେ ଓଡ଼ିଶା ଦେଶରେ ପ୍ରମୁଖ ୫ଟି ରାଜ୍ୟ ମଧ୍ୟରେ ରହିଛି। ସ୍ଥାନୀୟ ଉତ୍ପାଦଗୁଡ଼ିକର ରପ୍ତାନିକୁ ପ୍ରେତ୍ସାହିତ କରିବାକୁ ଜିଲ୍ଲା ସ୍ତରରେ ରପ୍ତାନି ପ୍ରେତ୍ସାହନ କମିଟି ଗଠନ କରାଯାଇଛି। ଫଳରେ ଖୁବ୍ ଶୀଘ୍ର ମାଲକାନିଗିରି,କଳାହାଣ୍ଡି ବା କନ୍ଧମାଳର ସାମଗ୍ରୀ ଆମେରିକା ଓ ୟୁରୋପ ବଜାରରେ ମିଳିବ। ଏହି ଅବସରରେ ରାଜ୍ୟ ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ ଓଡ଼ିଶା ଦେଶର ଏକ ପ୍ରମୁଖ ରପ୍ତାନିକାରୀ ରାଜ୍ୟରେ ପରିଣତ ହେବାର ସମ୍ଭାବନା ରଖୁଛି।
ଏହି ଅବସରରେ ରପ୍ତାନି କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିଳ୍ପସଂସ୍ଥାମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି। ବୃହତ ଶିଳ୍ପ ବର୍ଗରେ ବେଦାନ୍ତ ଝାରସୁଗୁଡ଼ା (ଖଣିଜ ଶିଳ୍ପ), ନାଲକୋ (ଧାତୁ), ଟିସିଏସ (ଇଲେକ୍ଟ୍ରୋନିକ୍ସ ଓ ଆଇଟି), ସାମୁଦ୍ରିକ ଉତ୍ପାଦ ବର୍ଗରେ ଫାଲକନ, ଇନଫୋସିସ(ଇଲେକ୍ଟ୍ରୋନିକ୍ସ ଓ ଆଇଟି) ଆଦି କମ୍ପାନି ପୁରସ୍କୃତ ହୋଇଛନ୍ତି।
Comments are closed.