Odisha Link
Bridging the Missing Links in Odisha

ହଳବଳଦ ସାଜି ଜମିରେ ଚଷିଲେ ପୂର୍ବତନ ଜିଲ୍ଲା ପରିଷଦ ଓ ତାଙ୍କ ପୁଅ

ବରଗଡ଼: ଚାଷ କାମ ଯାହାର କେତେ ସୁଖ ତାହାର, ସେହି ସିନା ଦୁନିଆକୁ ଯୋଗାଉଛି ଆହାର..। ବର୍ତ୍ତମାନ ସମୟରେ ଏହି ଉକ୍ତିଟି ଅପ୍ରାସଙ୍ଗିକ ମନେ ହୁଏ। ପ୍ରାକୃତିକ ଦୁର୍ବିପାକଠାରୁ ଆରମ୍ଭ କରି ରୋଗପୋାକ ଦାଉ ଯୋଗୁଁ ସବୁବେଳେ ଅନିଶ୍ଚିତତା ମଧ୍ୟରେ ଚାଷୀକୂଳ। ଅପରକ୍ଷେ ଚାଷ ବାବଦକୁ ଖର୍ଚ୍ଚକୁ ଦେଖିଲେ ଲାଭ କିଛି ନାହିଁ କହିଲେ ଚଳେ। ଏସବୁ ଜଟିଳ ପରିସ୍ଥିତିରେ ଚାଷ କାମରେ ଖର୍ଚ୍ଚ କାଟ ପାଇଁ ଚାଷୀ ନିଜେ ବଳଦ ସାଜିଛନ୍ତି। ତାହାପୁଣି ଜଣେ ଜନ ପ୍ରତିନିଧିଙ୍କ ପରିବାର। ବରଗଡ଼ ଜିଲ୍ଲାର ଜଣେ ପୂର୍ବତନ ଜିଲ୍ଲା ପରିଷଦ ନିଜ ଚାଷ ଜମିରେ ବଳଦ ସାଜିଛନ୍ତି। ଯାହାକୁ ନେଇ ଜିଲ୍ଲା ସମେତ ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି।

ବରଗଡ଼ ସଦର ବ୍ଲକ୍‌ ବରଗାଁ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିବାହାଲି ଗାଁର ପାଣ୍ଡବ କର୍ଣ୍ଣ ତାଙ୍କ ଦୁଇ ପୁଅ ଏବଂ ବଡ଼ ଭାଇ ମିଶି ନିଜେ ହଳବଳଦ ସାଜି ଜମିରେ ଚଷୁଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପାଣ୍ଡବଙ୍କ ସମତେ ଦୁଇ ପୁଅ ହର୍ଷବର୍ଦ୍ଧନ ଓ ମୃତ୍ୟୁଞ୍ଜୟ ବଦଳର ସ୍ଥାନ ନେଇ ହଳ ବୁଲାଉଥିବା ବେଳେ ବଡ଼ଭାଇ ଦୁଃଖିଶ୍ୟାମ ଗାର ଧରିବା ଭଳି ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପାଣ୍ଡବଙ୍କ କହିବା ଅନୁସାରେ, ପାଖାପାଖି ଦେଢ଼ ମାସ ତଳୁ ତାଙ୍କ ଜମିରୁ ଖରିଫ ଧାନ ଉତ୍ପାଦନ କରିସାରିଲେଣି। ସେଥିରୁ ଏଯାଏଁ ୮୨ କୁଇଣ୍ଟାଲ ଧାନ ଉଠିନଥିବା ବେଳେ ଟୋକନ ଅବଧି ସମାପ୍ତ ହୋଇଯାଇଛି। ଯାହା ଫଲରେ ଧାନ ବିକ୍ରି ହୋଇ ପାରିନାହିଁ। ଧାନବିକ୍ରି ଟଙ୍କାରୁ ସମସ୍ତ ଋଣ ପରିଶୋଧ ସହିତ ପରିବାର ଖର୍ଚ୍ଚ କରାଯିବାକୁ ଥିବାରୁ ଋଣବୋଝ କମାଇବା ପାଇଁ ଆଗାମୀ ଚାଷରେ ଖର୍ଚ୍ଚକାଟ ପାଇଁ ନିଷ୍ପତ୍ତି ନେଇଥିବା ପାଣ୍ଡବ କହିଛନ୍ତି। ଏଥିପାଇଁ ବଳଦ ସାଜି ଚଷିଥିବା କଥା ସେ କହିଛନ୍ତି।

ସୂଚନାଥାଉକି, ପାଣ୍ଡବ ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚିତ ହୋଇ ସଫଳତାର ସହ କାର୍ଯ୍ୟକାଳ ପୂରଣ କରିଥିଲେ। ବର୍ତ୍ତମାନ ସେ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ।

Comments are closed.