ଏକାକୀ ବଳାତ୍କାର କରିପାରିବନି ପୁରୁଷ: ବମ୍ବେ ହାଇକୋର୍ଟ
![](https://www.odishalink.com/wp-content/uploads/2021/01/WhatsApp-Image-2021-01-30-at-12.42.04.jpeg)
ମୁମ୍ବାଇ: ଗତ କିଛି ଦିନ ହେଲା ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗଣେଡିଓ୍ବାଲା ଚର୍ଚ୍ଚାରେ ରହୁଛନ୍ତି। ଏବେ ପୁଣି ଥରେ ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ସେ। ଏକ ମାମଲାର ବିଚାର କରି ହାଇକୋର୍ଟ ସମସ୍ତଙ୍କୁ ଚକିତ କରିବା ଭଳି ରାୟ ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଜଣେ ଅଭିଯୁକ୍ତ ଏକାକୀ ଦୁଷ୍କର୍ମ କରିପାରିବନି। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।
ରାୟରେ ବିଚାରପତି କହିଛନ୍ତି ଯେ, ଗୋଟିଏ ହାତରେ ପୀଡ଼ିତାର ମୁହଁକୁ ଚାପି କରି ଧରିବା ଓ ଅନ୍ୟ ହାତରେ ପୀଡ଼ିତାର ଏବଂ ନିଜର ପୋଷାକ ଖୋଲିବା ସମ୍ଭବ ନୁହେଁ। ତା’ଛଡା ଏକାକୀ ବଳାତ୍କାର କରିବାକୁ ଉଦ୍ୟମ କଲେ, ତା’କୁ ନିଶ୍ଚିତ ଭାବେ ପୀଡ଼ିତା ଠାରୁ ପ୍ରତିରୋଧର ସାମ୍ନା କରିବାକୁ ପଡିବ। ଏହି ମାମଲାରେ ପୀଡ଼ିତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। ତେଣୁ ସେ ଦୁଷ୍କର୍ମ କଲାବେଳେ ପ୍ରତିରୋଧ କରିଥିଲେ ବୋଲି ମନେ ହେଉନାହିଁ। ତେଣୁ ଉଭୟ ସହମତି ଭିତ୍ତିରେ ପରସ୍ପର ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ ବୋଲି ଅଭିଯୁକ୍ତ କରିଥିବା ଦାବି ବିଶ୍ୱାସଯୋଗ୍ୟ ମନେହେଉଛି। ଏହି କାରଣରୁ ହାଇକୋର୍ଟ ଉକ୍ତ ମାମଲାରେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି ।
ସୂଚନାଯୋଗ୍ୟ, ଏକ ମାମଲାରେ ସୂରଜ କାସରକର (୨୬ ବର୍ଷ) ନାମକ ଅଭିଯୁକ୍ତକୁ ନିମ୍ନ ଅଦାଲତ ୨୦୧୯ ମାର୍ଚ୍ଚ ୨୪ରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ସେ ଏକ ୧୫ ବର୍ଷୀୟା ବାଳିକାକୁ ବଳାତ୍କାର କରିଥିଲା ବୋଲି ଅଭିଯୋଗ ହୋଇଥିଲା। ସୂରଜ କିନ୍ତୁ ହାଇକୋର୍ଟରେ ଏହାକୁ ଚାଲେଞ୍ଜ କରିଥିଲା। ସେ ଯୁକ୍ତି ବାଢିଥିଲା କି ଅଭିଯୋଗକାରିଣୀ ତାଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ସବୁବେଳେ ଆତୁର ଥିଲେ। ଉଭୟ ପରସ୍ପରର ସହମତି ଆଧାରରେ ଏପରି ସମ୍ପର୍କ ରକ୍ଷା କରିଥିଲେ। ମାତ୍ର ସେ ଅଭିଯୋଗକାରିଣୀ ଯୁବତୀଙ୍କ ଘରୁ ଯାଉଥିଲାବେଳେ ତାଙ୍କ ମାଆ ତାଙ୍କୁ ଦେଖିଦେଇଥିଲେ। ଏଣୁ ଯୁବତୀ ଜଣକ ନିଜ ମାଆଙ୍କ ଚାପରେ ପଡି ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ।
Comments are closed.