ଚାକିରିରୁ ବିଦା ହେଲେ ବରିଷ୍ଠ କିରାଣି
ମାଲକାନଗିରି: ଜାଲିଆତି କରି ପାଇଥିବା ଜାତି ପ୍ରମାଣପତ୍ର ଦେଇ ସରକାରୀ ଚାକିରି ହାତେଇଥିଲେ ବରିଷ୍ଠ କିରାଣି। ସରକାରୀ ସୁବିଧା ସୁଯୋଗ ସହ ପଦୋନ୍ନତି ମଧ୍ୟ ମିଳିଥିଲା। ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ନିର୍ଦ୍ଦେଶ ପରେ ହୋଇଥିବା ଖୋଳତାଡ଼ରୁ ୨୪ବର୍ଷ ତଳେ ହୋଇଥିବା ଜାଲିଆତି ସାମ୍ନାକୁ ଆସିଥିଲା।
ଏହାପରେ ଚାକିରିରୁ ବିଦା ହୋଇଛନ୍ତି ମାଲକାନଗିରି କଲ୍ୟାଣ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରା।ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଯାଞ୍ଚ ଚାଲିଥିବା ବେଳେ ଜିଲ୍ଲାରେ ଏଭଳି ଆହୁରି କିଛି ଜଣ ଜାଲ୍ କାଗଜପତ୍ର ଦେଇ ସରକାରୀ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାର ମୂଳବାସିନ୍ଦା ଲକ୍ଷ୍ମୀପ୍ରିୟା ବେହେରା ୧୯୯୬ ମସିହାରେ ମାଲକାନଗିରି ଜିଲ୍ଲାରେ କିରାଣି ଭାବେ ନିଯୁକ୍ତି ପାଇଥିଲେ। ସମୟକ୍ରମେ ଦରମା ବୃଦ୍ଧି ସହ ପଦୋନ୍ନତି ମଧ୍ୟ ତାଙ୍କୁ ମିଳିଥିଲା। ତେବେ ନିଯୁକ୍ତି ସମୟରେ ସେ ଦାଖଲ କରିଥିବା ଜାତି ପ୍ରମାଣପତ୍ରକୁ ସନ୍ଦେହ କରି କେହି ଜଣେ ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ।
ତଦନ୍ତରୁ ଜଣାପଡ଼ିଥିଲା ଯେ, ଲକ୍ଷ୍ମୀପ୍ରିୟା ଏସିବିସି ବର୍ଗର ହୋଇଥିବା ବେଳେ ଜଣେ ଆଦିବାସୀଙ୍କୁ ବିବାହ କରିଛନ୍ତି। ବିବାହ ପରେ ନିଜ ପ୍ରକୃତ ଜାତିକୁ ଲୁଚାଇ ସେ ସ୍ବାମୀଙ୍କ ଜାତି ଆଧାରରେ ନୂଆ ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ତତ୍କାଳୀନ ଜୁନାଗଡ଼ ତହସିଲଦାର ମଧ୍ୟ ବିନା ଯାଞ୍ଚରେ ତାଙ୍କୁ ଆଦିବାସୀ ବୋଲି ଦର୍ଶାଇ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଏହି ପ୍ରମାଣପତ୍ର ଦାଖଲ କରି ସଂରକ୍ଷଣ ବର୍ଗରେ ଲକ୍ଷ୍ମୀପ୍ରିୟା ନିଯୁକ୍ତି ପାଇଥିଲେ। ଏ ନେଇ ମାଲକାନଗିରି ଜିଲ୍ଲାପାଳ ଜାଣିବା ପରେ ଲକ୍ଷ୍ମୀପ୍ରିୟାକୁ ବହିଷ୍କୃତ କରିଛନ୍ତି। ଏଥିସହ ଚାକିରି କାଳରେ ସେ ଦରମା ବାବଦରେ ନେଇଥିବା ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତତ୍କାଳୀନ ଜୁନାଗଡ଼ ତହସିଲଦାର କେଉଁ ଆଧାରରେ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କଲେ ତାହାର ତଦନ୍ତ କରିବାକୁ ବି କଳାହାଣ୍ଡି ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି।
Comments are closed.