ଫେବୃଆରୀ ୧୩ରୁ ଆଉଟରିଚ୍ର ସପ୍ତମ ଅନ୍ତର୍ଜାତୀୟ ରେଡ଼ିଓ ମେଳା
ଭୁବନେଶ୍ୱର: କୋରୋନା କଟକଣା ମଧ୍ୟରେ ଆସନ୍ତା ୧୩ ଓ ୧୪ ତାରିଖରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି ଦେଶର ଏକମାତ୍ର ରେଡ଼ିଓ ମେଳା। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତି। ସପ୍ତମ ଥର ପାଇଁ ଏହି ରେଡ଼ିଓ ମେଳା ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ହେଉଛି । ଶହଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡ଼ିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ, ବିଭିନ୍ନ ପ୍ରକାର ୱାକି ଟକି ସହ ହାମ୍ ରେଡ଼ିଓର ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିବ। ବିଗ ଏଫଏମ, ରେଡିଓ ଚକଲେଟ, ରେଡ ଏଫଏମ, ରେଡ଼ିଓ ଭୁବନେଶ୍ୱର ଓ ବିଭିନ୍ନ ଭାରତୀୟ ରେଡ଼ିଓ ଚ୍ୟାନେଲ ମେଳାରେ ନିଜର ଷ୍ଟଲ ଖୋଲିବେ।
ବିଗତ ବର୍ଷମାନଙ୍କ ପରି ଏଥର ମଧ୍ୟ ଆଉଟରିଚ୍ ଅନ୍ତର୍ଜାତୀୟ ରେଡ଼ିଓ ମେଳାରେ ସାମିଲ ହେବେ ବିଭିନ୍ନ ରାଜ୍ୟର ଲାଇସେନ୍ସ ପ୍ରାପ୍ତ ହାମ୍ ରେଡ଼ିଓ ଅପରେଟର । ଏହି ଅପରେଟର ମାନେ ହାମ୍ ରେଡିଓ ସମେତ ଏମରଜେନ୍ସି ରେଡ଼ିଓର ପ୍ରଦର୍ଶନୀ ଆୟୋଜନ କରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସମିତି (ଓସଡମା) ପକ୍ଷରୁ ଓଡ୍ରାଫ ଓ ହାମ ରେଡ଼ିଓ ଅପରେଟର ମାନଙ୍କ ସହାୟତାରେ ଏପରି ଏକ ଷ୍ଟଲ ଖୋଲାଯିବ। ରେଡ଼ିଓ ମେଳାର ସବୁଠାରୁ ବଡ ଆକର୍ଷଣ ହେଉଛି ଶହଶହ ସଂଖ୍ୟାରେ ପ୍ରଦର୍ଶିତ ହେଉଥିବା ପୁରୁଣା ରେଡ଼ିଓ। ବୋଲଗଡର ଅକ୍ଷୟ ପଟ୍ଟନାୟକ, କଟକର କାଳୀପ୍ରସନ୍ନ ପଣ୍ଡା ଓ ଭୁବନେଶ୍ୱରର ରାଜେନ୍ଦ୍ର ମହାରଣା ୩ ହଜାରରୁ ଅଧିକ ରେଡ଼ିଓ ଏଠାରେ ପ୍ରଦର୍ଶିତ କରିବେ। ରେଡ଼ିଓ ଶ୍ରୋତାମାନଙ୍କ ଦ୍ୱାରା ଏକ ଶ୍ରୋତା ସମ୍ମିଳନୀ ମଧ୍ୟ ଆୟୋଜିତ ହେବ।
ପ୍ରତିବର୍ଷ ପରି ଏଥର ରେଡ଼ିଓ ମେଳାରେ ବିଭିନ୍ନ ପ୍ରକାର ରେଡ଼ିଓ ସେଟ୍ ବିକ୍ରି ହେବ। ବଜାରରେ ସାଧାରଣତଃ ରେଡ଼ିଓ ମିଳୁନଥିବା ବେଳେ ରେଡ଼ିଓ ମେଳାରେ ପର୍ଯ୍ୟପ୍ତ ପରିମାଣରେ ରେଡ଼ିଓ ସେଟ୍ ବିକ୍ରି ଉଦେଶ୍ୟରେ ରଖାଯିବ। ଏହାଛଡା ମେଳାରେ ବିକ୍ରି ହେଉଥିବା ବହୁ ପୁରୁଣା ରେଡ଼ିଓ ମଧ୍ୟ ଆପଣ ନିଜର ଘର ପାଇଁ କିଣି ନେଇ ପାରିବେ। ଓଡ଼ିଶା ଡିଜାଇନର୍ସ ଆସୋସିଏସନ ପକ୍ଷରୁ ରେଡ଼ିଓ ଥିମକୁ ନେଇ ବିଭିନ୍ନ କଷ୍ଟମାଇଜଡ଼ ପ୍ରଡକ୍ଟ ବିକ୍ରି ହେବ। କାର୍ସିନୋଭା କ୍ୟାନ୍ସର ହସ୍ପିଟାଲ ପକ୍ଷରୁ ରେଡ଼ିଓ ମେଳାରେ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯିବ. ଏଠାରେ ବିନା ମୂଲ୍ୟରେ ଦର୍ଶକମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇପାରିବେ। ରେଡ଼ିଓ ମେଳାରେ ଛାତ୍ରଛାତ୍ରୀଙ୍କ ପାଇଁ ରଖାଯାଇଛି ସମ୍ବାଦ ପଠନ, ଆରଜେଇଂ, ଫ୍ୟାସନ ସୋ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗୀତା। ପିଲା ମାନଙ୍କ ଭିତରେ ଲୁଚିରହିଥିବା ଅନ୍ତଃର୍ନିହିତ କଳାର ବିକାଶ ଓ ପ୍ରତିଭାଧାରୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଛନ୍ତି ଆୟୋଜକ ସଂସ୍ଥା ଆଉଟରିଚ୍।
ଦେଶର ଅନ୍ୟତମ ଲୋକପ୍ରିୟ ରେଡ଼ିଓ ଜକି ରେଡ ଏଫଏମ କୋଲକାତାର ଆରଜେ ପ୍ରବୀଣ ଏଥର ରେଡ଼ିଓ ମେଳାରେ ଯୋଗ ଦେବା ସହ ରେଡ଼ିଓରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବକ ଯୁବତୀମାନଙ୍କୁ ଉତ୍ସାହିତ କରିବେ। ରେଡ଼ିଓ ମେଳା ଅବସରରେ ୨୦୨୧ ମସିହା ପାଇଁ ଆରଜେ ପ୍ରବୀଣଙ୍କୁ ଲୋକପ୍ରିୟ ରେଡ଼ିଓ ପ୍ରସାରକ, ବିହାରର ରଜନିଶ କୁମାରଙ୍କୁ ଶ୍ରେଷ୍ଠ ଶ୍ରୋତା ସମ୍ମାନରେ ସମ୍ମାନିତ କରାଯିବ। ଏହା ବ୍ୟତୀତ ଲକ ଡାଉନ ଓ ସଟ ଡାଉନ ସମୟରେ ରାଜ୍ୟର ବିଭିନ୍ନ ରେଡ଼ିଓ ଷ୍ଟେସନରେ କାର୍ଯ୍ୟ କରି ଲୋକମାନଙ୍କୁ ସଚେତନ କରିଥିବା ୧୫ ଜଣ ରେଡ଼ିଓ ଉପସ୍ଥାପକଙ୍କୁ କୋରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯିବ। କିମ୍ବଦନ୍ତୀ ରେଡ଼ିଓ ବ୍ୟକ୍ତିତ୍ୱ ନଦିଆ ବିହାରୀ ମହାନ୍ତିଙ୍କ ସ୍ମୃତିରେ ନଦିଆ ବିହାରୀ ମହାନ୍ତି ସ୍ମାରକୀ ସମ୍ମାନ ବିଶିଷ୍ଟ ଉପସ୍ଥାପକ ଅନିତ୍ୟ ମହାନ୍ତିଙ୍କୁ ପ୍ରଦାନ କରାଯିବ. ଆକାଶବାଣୀ କଟକରୁ ବରିଷ୍ଠ ଉପସ୍ଥାପକ ଭାବେ ଅବସର ଗ୍ରହଣ କରିଥିବା ଶ୍ରୀ ମହାନ୍ତି ଦୀର୍ଘ ୩୦ ବର୍ଷ ଧରି ଓଡ଼ିଶାର ପୁରପଲ୍ଲୀରେ ବେଶ ଲୋକପ୍ରିୟ ପ୍ରସାରକ ଭାବେ ଜଣାଶୁଣା। ଏହି ସାମ୍ବାଦିକ ସମ୍ମିଳନୀରେ ରେଡ଼ିଓ ମେଳାର ସହ ଆବାହକ ଶାଶ୍ବତୀ କର, ଟିକାୟତ ନାୟକ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବିଷ୍ନୁପ୍ରିୟା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Comments are closed.