ସଂପ୍ରସାରଣ ହେଲା ନୀତିଶ ସରକାରଙ୍କ ମନ୍ତ୍ରୀମଣ୍ଡଳ
ପାଟଣା: ଆଜି ନୀତିଶ ସରକାର ନିଜର ମନ୍ତ୍ରୀମଣ୍ଡଳର ବିସ୍ତାର କରିଛି। ଆଉ ୧୭ ଜଣ ନେତା ନୀତିଶ ସରକାରରେ ମନ୍ତ୍ରୀ ପଦ ପାଇବା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ନେତା ଶହନବାଜ୍ ହୁସେନଙ୍କୁ ନୀତିଶ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଭାବେ ସାମିଲ କରାଯାଇଛି। ଆଜି ଶପଥ ଗ୍ରହଣ କରିଥିବା ୧୭ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ବିଜେପିରୁ ହୋଇଥିବାବେଳେ ବାକି ୮ ଜଣ ଜେଡିୟୁର ବୋଲି ଜଣାପଡିଛି।
ସେମାନଙ୍କ ଭିତରେ ଜେଡିୟୁ ନେତା ମଦନ ସହନୀଙ୍କୁ ସମାଜ କଲ୍ୟାଣ ବିଭାଗର ମନ୍ତ୍ରୀ, ସଂଜୟ ଝାଙ୍କୁ ଜଳ ସଂଶାଧନ ବିଭାଗ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦାୟିତ୍ୱ ମିଳିଛି। ସେହିଭଳି ସୁଶାନ୍ତ ସିଂହ ରାଜପୁତଙ୍କ ଭାଇ ନୀରଜ କୁମାରଙ୍କୁ ପର୍ଯ୍ୟାବରଣ ବିଭାଗର ଦାୟିତ୍ୱ ଦିଆଯାଇଛି। ଗତ ବିଧାନସଭା ନିର୍ବାଚନରେ ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ସଫଳତା ପାଇଥିଲା। ଏହାପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଦାୟିତ୍ୱ ସମ୍ଭାଳିଥିଲେ। ସେତେବେଳେ ନୀତିଶଙ୍କ ସହ ୧୫ ଜଣ ମନ୍ତ୍ରୀ ଶପଥ ନେଇଥିଲେ। ଏବେ ବିହାରରେ ମନ୍ତ୍ରୀମଣ୍ଡଳର ବିସ୍ତାର ହେବା ସହିତ ଆଉ ୧୭ ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
Comments are closed.