ଯୌତୁକ ପାଇଁ ବିଧବା ବୋହୂକୁ ନିଆଁ ଲଗାଇଲା ଶାଶୂ

କେନ୍ଦୁଝର: ଯୌତୁକ ଦାବିରେ ବିଧବା ବୋହୂକୁ ନିଆଁ ଲଗାଇଲା ଶାଶୂ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ, କାଠବାଉଁଶୁଳୀ ଗ୍ରାମରେ। ଗତ ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା ସଖି ମାଧ୍ୟମରେ ଥାନାରେ ଅଭିଯୋଗ କରିଛନ୍ତି ମୃତ୍ୟୁ ସହ ସଂଗ୍ରାମ କରୁଥିବା ବୋହୂ ସସ୍ମିତା ବାରିକଙ୍କ ବାପା ଯୋଗେନ୍ଦ୍ର ମହାକୁଡ଼। ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁବାବକ,ବସନ୍ତପୁର ଗ୍ରାମର ଯୋଗେନ୍ଦ୍ର ମହାକୁଡଙ୍କ ଝିଅ ସସ୍ମିତା ସଦର ଥାନା,କାଠବାଉଁଶୁଳୀ ଗ୍ରାମର ସୁରଥ ବାରିକଙ୍କୁ ବୈଦିକ ରୀତିରେ ୯ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୭ ବର୍ଷର ପୁଅଟିଏ ମଧ୍ୟ ଅଛି। ବିବାହ ପରେ ପରେ ଶାଶୂ ଘର ଲୋକେ ଯୌତୁକ ପାଇଁ ସସ୍ମିତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିବା ବେଳେ ପରିବାରରେ ବିଶୃଙ୍ଖଳା ଲାଗି ରହିଥିଲା। ମାମଲା ଫାଣ୍ଡିକୁ ପହଞ୍ଚିଥିବାବେଳେ ପରବର୍ତ୍ତୀ ସମୟରେ ଆପୋଷ ବୁଝାମଣା ହୋଇଥିଲା।
୬ ମାସ ତଳେ ସସ୍ମିତାଙ୍କ ସ୍ୱାମୀ ସୁରଥ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ସସ୍ମିତାଙ୍କ ଉପରେ ଅତ୍ୟାଚାର ବଢିଥିଲା। ତାଙ୍କୁ ଘରୁ ତଡିଦେବା ପାଇଁ ମାରପିଟ୍ କରୁଥିଲେ ଶଶୂଘର ଲୋକ। ଗତ ୫ ତାରିଖ ସକାଳେ ଚୂଲି ପାଖରେ ବସି ପିଠା କରୁଥିବା ସମୟରେ ସସ୍ମିତାର ଶାଶୂ ସାଇବାଣୀ ବାରିକ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।
ସସ୍ମିତା ଜୀବନ ବିକଳରେ ମୋତେ ରକ୍ଷା କର ବୋଲି ଘର ଭିତରୁ ବାହାରକୁ ଦୌଡିଥିଲେ। ତାଙ୍କ ଉପରେ ପରିବାର ଲୋକେ ପାଣି ଢାଳି ନିଆଁ ଲିଭାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରିଥିଲେ। ସେଠାରେ ସସ୍ମିତା ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ବାପାଙ୍କ ନିକଟରେ ଘଟଣା ସମ୍ପର୍କରେ କହିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖି କେନ୍ଦ୍ରକୁ ଆସି ଝିଅ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ଯୋଗେନ୍ଦ୍ର।
Comments are closed.